ନୂଆଦିଲ୍ଲୀ: 2021ରେ ଦେଶରେ ହେବ ଜନଗଣନା । ତେବେ ଏକା ସାଙ୍ଗରେ ଜାତିଗତ ଗଣନା କରିବାକୁ ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଦେଶର ଅନେକ କ୍ଷମତାସୀନ ଦଳ ଏବେ ଏଥିପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଉଛନ୍ତି ।
ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଜାତିଗତ ଜନଗଣନା ପାଇଁ ଦାବି କରିଛନ୍ତି । ସେହିଭଳି ବିହାର ସରକାର ମଧ୍ୟ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି । ଏହି କ୍ଷେତ୍ରରେ ମହାରାଷ୍ଟ୍ର ସରକାର କ୍ଷମତାସୀନ ହେଉ ହେଉ ପଦକ୍ଷେପ ମଧ୍ୟ ଆରମ୍ଭ କରିଛନ୍ତି ।
ଜାତିଗତ ଜନଗଣନା ପାଇଁ ବଢୁଛି ଦାବି
ଦେଶରେ ପ୍ରତ୍ୟେକ 10 ବର୍ଷରେ ଥରେ ଜନଗଣନା ହୋଇଥାଏ । ବର୍ଷ 2011ରେ ଶେଷ ଥର ପାଇଁ ହୋଇଥିଲା । 2021 ରେ ପୁଣି ହେବାକୁ ଯାଉଛି । ତେଣୁ ଦେଶର ଅନେକ ରାଜନୈତିକ ଦଳ 2021 ରେ ହେବାକୁ ଥିବା ଜନ ଗଣନା ସମୟରେ ଜାତିଗତ ଗଣନା ମଧ୍ୟ କରିବାକୁ ଦାବି ଯୋରଦାର କରୁଛନ୍ତି । ଦେଶ ସ୍ବାଧୀନ ହେବାପୂର୍ବରୁ ପ୍ରଥମ ଥର ପାଇଁ 1941ରେ ଦେଶରେ ଜାତିଗତ ଗଣନା ହୋଇଥିଲା । କିନ୍ତୁ ଦ୍ବିତୀୟ ବିଶ୍ବଯୁଦ୍ଧ କାରଣରୁ ଏହା ପ୍ରକାଶ ପାଇପାରିନଥିଲା । ପରେ ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ 1951ରେ ଦେଶରେ ଜନ ଗଣନା ହୋଇଥିଲା । କିନ୍ତୁ ବର୍ତ୍ତମାନ ଯାଏଁ ଜାତିଗତ ଗଣନା ହୋଇନାହିଁ । ଦେଶର ପ୍ରତ୍ୟେକ ନାଗରିକଙ୍କର ସାମାଜିକ ଆର୍ଥିକ ସ୍ଥିତିକୁ ଆକଳନ କରି ଜନଗଣନା ହୋଇଥାଏ । ଏବେ 2021ରେ ପୁଣିଥରେ ଜନଗଣନା ହେବ । ଏହାସହ ଜାତିଗତ ଗଣନା କରିବା ପାଇଁ ଅନେକ ରାଜନୈତିକ ଦଳ ଦୃଢ ଦାବି କରୁଛନ୍ତି ।
ଉଦ୍ଧବ ସରକାର ଖେଳିଛନ୍ତି ଓବିସି କାର୍ଡ
ମହାରାଷ୍ଟ୍ରରେ ଶିବସେନା ବିଜେପି ଠାରୁ ସମ୍ପର୍କ ଛିନ୍ନ କରି ଏନସିପି ଓ କଂଗ୍ରେସ ସହାୟତାରେ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ହେବାପରେ ଉଦ୍ଧବ ଠାକେର ଜାନୁୟାରୀ ମାସରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇ ଜାତିଗତ ଜନଗଣନା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ଯାହା ଧ୍ବନିମତରେ ପାସ ହୋଇଥିଲା । ପରେ ମହାରାଷ୍ଟ୍ର ସରକାର ଦଶର ପଛୁଆ ବର୍ଗ(ଓବିସି)ଙ୍କ ଜନସଂଖ୍ୟା ଜାଣିବା ପାଇଁ ଜାତିଗତ ଜନଗଣନା କରିବାକୁ ଅନୁରୋଧ କରିଛନ୍ତି ।
ବିହାର ସରକାର ମଧ୍ୟ ଦାବି କଲେ