ଓଡିଶା

odisha

ETV Bharat / bharat

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ଖୋଲିବ 75 ନୂଆ ମେଡିକାଲ କଲେଜ

ଦେଶରେ 75 ଟି ନୂଆ ମେଡିକାଲ କଲେଜ ଖୋଲିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଆଖୁ ଚାଷୀଙ୍କୁ 60 ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ ଉପରେ ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 28, 2019, 8:58 PM IST

ନୂଆଦିଲ୍ଲୀ: ଆଖୁ ଚାଷୀ ଏବଂ ଡାକ୍ତରୀ ଛାତ୍ରଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର । ବୁଧବାର ଆୟୋଜିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଖୁ ଚାଷୀ ଏବଂ ଡାକ୍ତରୀ ଶିକ୍ଷା ବିସ୍ତାରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ 75 ଟି ନୂଆ ମେଡିକାଲ କଲେଜ ଖୋଲିବାର ନିଷ୍ପତ୍ତି ନିଆଯାଇଛି । 24 ହଜାର କୋଟି ବ୍ୟୟବରାଦରେ ଏହି ମେଡିକାଲ କଲେଜ ଖୋଲାଯିବ । ଏଥିରେ ଏମ୍‌ବିବିଏସ୍‌ର 15,700 ନୂଆ ସିଟ ଉପଲବ୍ଧ ହେବ । 2021-22 ସୁଦ୍ଧା ସ୍ଥାପିତ ହେବାକୁ ଥିବା ଏହି ମେଡିକାଲ କଲେଜ ସ୍ଵାସ୍ଥ୍ୟ କ୍ଷେତ୍ରରେ ପଛୁଆ ଥିବା ଜିଲ୍ଲାରେ ଖୋଲାଯିବ ।

କେନ୍ଦ୍ର କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର କ୍ୟାବିନେଟରେ ଆଖୁ ଚାଷୀଙ୍କୁ ମଧ୍ୟ ବଡ ଉପହାର ଦିଆଯାଇଛି । ଆଖୁ ଚାଷୀଙ୍କୁ 60 ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ ଉପରେ ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ଚାଷୀଙ୍କୁ 60 ଲକ୍ଷ୍ୟ ମେଟ୍ରିକ ଟନ ଚିନି ରପ୍ତାନୀ ଉପରେ 6 ହଜାର 268 କୋଟି ଟଙ୍କାର ସବସିଡି ଦିଆଯିବ । ତେବେ ଏହି ଟଙ୍କା ସିଧା ସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଏଥିରେ କେହି ମଧ୍ୟସ୍ଥି ରହିବେ ନାହିଁ ।

ଏହା ସହିତ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଗଠନ ପାଇଁ କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି । ଏହାକୁ ସେପ୍ଟେମ୍ବର ୨୩ରେ ନ୍ୟୁୟର୍କ ଠାରେ ହେବାକୁ ଥିବା ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିବେ ବୋଲି ଜାଭେଦକର କହିଛନ୍ତି ।

ବିଦେଶୀ ପୁଞ୍ଜୀ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍‌ରେ ଅନେକ ନିଷ୍ପତ୍ତି ନିଆଯାଇଛି । କୋଇଲା ଖଣି ଏବଂ କୋଇଲା ସହ ଜଡିତ ସମସ୍ତ କାମ ପାଇଁ 100 ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ଦିଆଯାଇଛି । ଏହା ବ୍ୟତିତ ଡିଜିଟାଲ ଗଣମାଧ୍ୟମରେ 26 ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର ।

ABOUT THE AUTHOR

...view details