ଶ୍ରୀନଗର: କାଶ୍ମୀରରେ ଫସି ରହିଥିବା ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାରେ ସାହାଯ୍ୟ କରିବ ଭାରତୀୟ ବାୟୁସେନା । ଜମ୍ମୁ କାଶ୍ମୀର ସରକାରଙ୍କ ନିବେଦନ କ୍ରମେ ବାୟୁସେନା ନିଜର ସି-17 ବିମାନ ଯୋଗେ ଅମରନାଥ ଯାତ୍ରୀଙ୍କୁ ଶ୍ରୀନଗରରୁ ପଠାନକୋଟ, ଜମ୍ମୁ ଏବଂ ଦିଲ୍ଲୀ ମଧ୍ୟରୁ ଯେକୌଣସି ବିମାନ ବନ୍ଦରରେ ପହଞ୍ଚାଇବ ।
କାଶ୍ମୀରରେ ଥିବା ଅମରନାଥ ଯାତ୍ରୀଙ୍କୁ ସାହାଯ୍ୟ କରିବ ବାୟୁସେନାର ସି-୧୭ ବିମାନ
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପରେ ରାଜ୍ୟ ସରକାର ଅମରନାଥ ଯାତ୍ରୀମାନଙ୍କୁ ଜମ୍ମୁ, ପଠାନ୍କୋଟ କିମ୍ବା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଭାରତୀୟ ବାୟୁସେନାକୁ ଅନୁରୋଧ କରିଛନ୍ତି।
ଜମ୍ମୁ କାଶ୍ମୀର ପ୍ରଶାସନ ଭାରତୀୟ ବାୟୁସେନାକୁ ଏନେଇ ନିବେଦନ କରିଥିଲା । ଅମରନାଥ ଯାତ୍ରୀଙ୍କୁ କାଶ୍ମୀର ଘାଟିରୁ ସି-17 ବିମାନ ଯୋଗେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାକୁ ଏଥିରେ କୁହାଯାଇଥିଲା । ତେବେ ପ୍ରଥମ ସି-17 ବିମାନ କିଛି ସମୟ ମଧ୍ୟରେ ଶ୍ରୀନଗର ପହଞ୍ଚିବ ବୋଲି ଜଣାପଡିଛି । ତେବେ ସି-17 ଗ୍ଲୋବମାଷ୍ଟର ବିମାନକୁ ପୂର୍ବରୁ ମଧ୍ୟ ଜମ୍ମୁ କାଶ୍ମୀର ପାଇଁ ବ୍ୟବହାର କରାଯାଇଥିଲା । କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ ଏହି ବିମାନ ଯୋଗେ ଅଣାଯାଇଥିଲା । ତେବେ ଏହି ବିମାନଟି ଥରକେ 230 ଯାତ୍ରୀଙ୍କୁ ନେବାର କ୍ଷମତା ରଖୁଛି ।
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଶୁକ୍ରବାର ଅମରନାଥ ଯାତ୍ରୀ ରଦ୍ଦ କରିବା ସହ ଯାତ୍ରୀଙ୍କୁ ତୁରନ୍ତ କାଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।