ଓଡିଶା

odisha

ETV Bharat / bharat

ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା: ନେପାଳରେ ବସ ଦୁର୍ଘଟଣା, 2 ଓଡିଆ ମୃତ

ନେପାଳର ଜୟନଗରରେ ଏକ ବସ ଦୁର୍ଘଟଣାରେ ଦୁଇ ଓଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ୨୧ ଜଣ ଗୁରୁତରଙ୍କୁ ବିରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

By

Published : Jun 11, 2019, 2:19 PM IST

Updated : Jun 11, 2019, 5:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ନେପାଳର ରାଜଧାନୀ କାଠମାଣ୍ଡୁରେ ବସ ଦୁର୍ଘଟଣା ଘଟି ୨ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାର ଚରଣ ବିଶ୍ଵାଳ ଏବଂ ଜଟଣୀ ଅନ୍ତର୍ଗତ ଯମୁନା ଗାଁର ବିଜୟ ଜେନା ବୋଲି ଜଣାପଡ଼ିଛି । ଏହି ଘଟଣାରେ ଅନ୍ୟ ଦୁଇ ଓଡିଆ ଗୁରୁତର ହୋଇଛନ୍ତି । ସେମାନେ ହେଲେ ସହଦେବ ଜେନା ଓ ସର୍ବେଶ୍ବର ଜେନା ।

ବସଟି କାଠମାଣ୍ଡୁରୁ ଜୟନଗର ଫେରିବା ବେଳେ ଏହି ଦୁର୍ଘଟଣା ହୋଇଛି । ଗତ 6 ତାରିଖରୁ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ପାଖାପାଖି 60 ଜଣ ଯାତ୍ରୀ ତୀର୍ଥ କରିବାପାଇଁ ନେପାଳ ଅଭିମୁଖେ ଯାଇଥିଲେ । ତେବେ ଗତକାଲି (ସୋମବାର) ନେପାଳ ରାଜଧାନୀ କାଠମାଣ୍ଡୁ ନିକଟ ଏକ ରାସ୍ତାରେ ବସଟି ଠିଆହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପଛପଟୁ ବସକୁ ଧକ୍କା ଦେଇଥିଲା ।

ଫଳରେ ବସଟି 20 ମିଟର ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ୨୧ଜଣ ଗୁରୁତରଙ୍କୁ ବିରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଗୁରୁତର 2 ଓଡିଆ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Last Updated : Jun 11, 2019, 5:48 PM IST

ABOUT THE AUTHOR

...view details