ନୂଆଦିଲ୍ଲୀ: ମାର୍ଚ୍ଚ 2 ତାରିଖରୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଦିଲ୍ଲୀ ହିଂସାକୁ ନେଇ ଉଭୟ ଗୃହ ଅଧିକାଂଶ ସମୟ ମୁଲତବୀ ରହିଥିଲା । ବିରୋଧୀ ସଦସ୍ୟ ମାନେ ଦିଲ୍ଲୀ ହିଂସା ଉପରେ ଆଲୋଚନା କରିବା ଲାଗି ଅଡି ବସିବା ସହ ନାରାବାଜି କରିଥିଲେ । ତେବେ ସରକାର ହୋଲି ପରେ ଆଲୋଚନା କରିବାକୁ କହୁଥିବାରୁ ବିରୋଧୀ ହୋହଲ୍ଲା କରୁଥିଲେ । ଫଳରେ ଉଭୟ ଗୃହ ବାରମ୍ବାର ମୁଲତବୀ ହୋଇଥିଲା ।
ଗତକାଲି ହୋଲି ପରେ ପୁଣି ସଂସଦର କାର୍ଯ୍ୟ ଆଜି ଦିନ 11 ଟାରୁ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଦିଲ୍ଲୀ ହିଂସା ଉପରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ତୃଣମୂଳ କଂଗ୍ରେସ ମଧ୍ୟ ରାଜ୍ୟସଭାରେ ଏନେଇ ଆଲୋଚନା କରିବାକୁ ଆଜି ନୋଟିସ୍ ଦେଇଛି । ଅନ୍ୟପଟେ ଲୋକସଭାର କଂଗ୍ରେସ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ଓ ବିଜେପି ନେତ୍ରୀ ମୀନାକ୍ଷୀ ଲେଖୀ ମଧ୍ୟ ଦିଲ୍ଲୀର ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ।