ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। ଏହି ରଣକ୍ଷେତ୍ରରେ କେତେ ବେଳେ କିଛି ବି ଘଟିପାରେ। ବର୍ତ୍ତମାନ ରାଜ୍ୟର ରାଜନୀତିରେ ଦେଖାଦେଇଥିବା କ୍ଷମତା ଯୁଦ୍ଧରେ ଘଡିକେ ଘୋଡା ଛୁଟୁଛି । ଏହି ପଲିଟିକାଲ ଡ୍ରାମା ଶେଷ ହେବାର ନାମ ନେଉନାହିଁ । ପୂର୍ବତନ ଡେପୁଟି ସିଏମ୍ ସଚିନ୍ ପାଇଲଟ୍ ଏବଂ ସିଏମ୍ ଗେହଲଟଙ୍କ ମଧ୍ୟରେ ମୁହାଁମୁହିଁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ବଡ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଶେଷରେ ଅନେକ ପର୍ଯ୍ୟାୟ ଦେଇ ଲଢିବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି।
କଂଗ୍ରେସ ଏବଂ ବିଜେପି ବ୍ୟତୀତ ବର୍ତ୍ତମାନ ଏହି ଛକାପଞ୍ଚା ଖେଳରେ ବିଏସପି ମଧ୍ୟ ପ୍ରବେଶ କରିଛି। ଗୋଟିଏ ପଟେ ସାରା ଦେଶରେ ମହାମାରୀ ଅନ୍ୟପଟେ କ୍ଷମତା ପାଳି ଏଭଳି ସ୍ଛିତିରେ ବଳି ପଡୁଛନ୍ତି ସାଧାରଣଜନତା। କୋଭିଡ୍ 19 ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯିବା ଉଚିତ ବୋଲି ବହୁଜନ ସମାଜ ପାର୍ଟି (ବିଏସପି) ରବିବାର କହିଛି।
ବିଏସପି ମୁଖ୍ୟ ମାୟାବତୀ ରାଜ୍ୟର ବର୍ତ୍ତମାନର ପରିସ୍ଥିତିକୁ ନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଠାରେ ସେ କହିଛନ୍ତି ଯେ ଯେତେବେଳେ ମହାମାରୀ ଯୋଗୁଁ ଲୋକମାନେ ପୀଡ଼ିତ, ଅନ୍ୟପକ୍ଷରେ ସରକାର ସେମାନଙ୍କ ବିଧାୟକମାନଙ୍କୁ କାମ କରିବାକୁ ଅନୁମତି ଦେବା ପରିବର୍ତ୍ତେ ଏକ ପଞ୍ଚ ତାରକା ହୋଟେଲରେ ବନ୍ଦ କରିଛନ୍ତି। ସେମାନଙ୍କୁ ଜନ କଲ୍ୟାଣ ପାଇଁ ଛାଡି ଦିଆଯାଉ। ବିଏସପି ବିଶ୍ବାସ କରେ ଯେ ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯିବା ଉଚିତ। ଏନେଇ ଦଳର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ଗଣମାଧ୍ୟକୁ କହିଛନ୍ତି।