ଓଡିଶା

odisha

ରାଜସ୍ଥାନରେ ରାଷ୍ଟ୍ରପତି ଶାସନ ଦାବି କଲେ ମାୟାବତୀ

By

Published : Jul 18, 2020, 12:47 PM IST

ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ଏବଂ ଅସ୍ଥିରତାକୁ ଦୃଷ୍ଟିରେ ରଖି ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ମାୟାବତୀ । ଏହାଦ୍ବାରା ରାଜସ୍ଥାନ ଗଣତନ୍ତ୍ରକୁ ଅଧିକ କ୍ଷତି ପହଞ୍ଚିବ ନାହିଁ ବୋଲି ସେ କହିଛନ୍ତି ।

 ବିଏସପି ମୁଖ୍ୟ ମାୟାବତୀ
ବିଏସପି ମୁଖ୍ୟ ମାୟାବତୀ

ଲକ୍ଷ୍ନୌ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଏସପି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । ରାଜ୍ୟର ରାଜନୈତିକ ସଙ୍କଟ ଏବଂ ଅସ୍ଥିରତାକୁ ଦୃଷ୍ଟିରେ ରଖି ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ମାୟାବତୀ ।

ଏନେଇ ବିଏସପି ପ୍ରମୁଖ ମାୟାବତୀ କହିଛନ୍ତି, ରାଜସ୍ଥାନରେ ଲଗାତାର ଜାରି ରହିଥିବା ରାଜନୈତିକ ସଙ୍କଟ, ଦଳ ମଧ୍ୟରେ ଆପୋଶ ମତଭେଦ ଏବଂ ସରକାରଙ୍କ ଅସ୍ଥିରତାକୁ ଦୃଷ୍ଟିରେ ରଖି ସେଠାକାର ରାଜ୍ୟପାଳଙ୍କୁ ପରିସ୍ଥିତିର ସମୀକ୍ଷା କରିବା ଉଚିତ । ଏହା ସହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରିବା ଉଚିତ୍‌ । ଏହାଦ୍ବାରା ରାଜସ୍ଥାନ ଗଣତନ୍ତ୍ରକୁ ଅଧିକ କ୍ଷତି ପହଞ୍ଚିବ ନାହିଁ ବୋଲି ସେ କହିଛନ୍ତି ।

ମାୟାବତୀ ଆହୁରି କହିଛନ୍ତି ଯେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବରୁ ହିଁ ଦଳବଦଳ ନିୟମର ଉଲଂଘନ କରିଛନ୍ତି । ସେ ଲଗାତାର ଦ୍ବିତୀୟ ଥର ବିଏସପି ସହ ଧୋକା କରି ଦଳର ବିଧାୟକଙ୍କୁ କଂଗ୍ରେସରେ ସାମିଲ କରିଛନ୍ତି । ଏବେ ଫୋନ ଟ୍ୟାପିଂ କରି ଆଉ ଏକ ବେଆଇନ ଏବଂ ଅସମ୍ବିଧାନିକ କାମ କରିଛନ୍ତି ବୋଲି ମାୟାବତୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ବିଜେପି ଘୋଡା ବେପାର କରୁଥିବା ନେଇ ରାଜସ୍ଥାନ କଂଗ୍ରେସ ଅଭିଯୋଗ କରିଛି । ଏଥିରେ ବିଜେପିର ବରିଷ୍ଠ ନେତା ସାମିଲ ଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଅଡିଓ ଟେପ ମଧ୍ୟ ଜାରି କରାଯାଇଛି । ସେପଟେ ସରକାର ରକ୍ଷା କରିବା ପାଇଁ କଂଗ୍ରେସ ବେଆଇନ ଭାବରେ ଫୋନ ଟ୍ୟାପିଂ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିପାଇଁ ବିଜେପି କଂଗ୍ରେସ ବିରୋଧରେ ସିବିଆଇ ତଦନ୍ତ ଦାବି କରିଛି ।

ABOUT THE AUTHOR

...view details