ଜୟପୁର: ରାଜସ୍ଥାନ କୋଟାର ଚମ୍ବଲ ନଦୀ ପାର ହେଉଥିବାବେଳେ ଓଲଟିଲା ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥିଲେ 50 ଯାତ୍ରୀ । ଏବେ ସୁଦ୍ଧା 14 ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଛି ।
କଲାମେଶ୍ବର ଧାମ ଦର୍ଶନ କରିବାକୁ ଯିବାବେଳେ ଅଘଟଣ: ଓଲଟିଲା ଡଙ୍ଗା, 14 ମୃତ
10:02 September 16
ଠାକୁର ଦର୍ଶନ କରିବାକୁ ଯାଉଥିବା ବେଳେ ଓଲଟିଲା ଡଙ୍ଗା । ଡଙ୍ଗାରେ ମୋଟ 50 ଜଣ ଥିବାବେଳେ ଏବେ ସୁଦ୍ଧା 14 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ରାଜସ୍ଥାନ କୋଟାର ଇଟାୱାରେ ଘଟିଛି ଏହି ଅଘଟଣ ।
ପ୍ରାଥମିକ ସୂଚନା ଅନୁଯାୟୀ, କୋଟାର ଇଟାୱାରେ ଥିବା କଲାମେଶ୍ବର ଧାମ ପରିଦର୍ଶନ କରିବାକୁ ଚମ୍ବଲ ନଦୀ ପାର ହୋଇ ଡଙ୍ଗାଟି ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 50 ଜଣ ବୁଡି ଯାଇଥିଲେ । ଏହି ସମୟ ମଧ୍ୟରେ ଅନେକ ଲୋକ ପହଁରି ନିଜ ଜୀବନ ରକ୍ଷା କରିଥିଲେ । ଡଙ୍ଗାରେ ପାଖାପାଖି 18ଟି ବାଇକ ଥିଲା ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥି ସହିତ ପ୍ରଶାସନକୁ ମଧ୍ୟ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ଏହା ପରେ ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳକୁ ଯାଇଛନ୍ତି । ସେପଟେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଦିଆଯିବାକୁ ସ୍ଥାନୀୟ ଲୋକଙ୍କ ଦାବି ରହିଛି ।
ରାଜସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ସେପଟେ ଡଙ୍ଗାରେ ଅଧିକ ଲୋକ ଯାତ୍ରା କରୁଥିବା ନେଇ ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ