କୋଲକାତା: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ସ୍ବାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳ ମଧ୍ୟରେ ସଂଘର୍ଷ ହୋଇଛି । ଘଟଣାରେ ଶାସକ ତୃଣମୂଳ କଂଗ୍ରେସର ସମର୍ଥକଙ୍କ ଦ୍ବାରା ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଟିଏମସି ସମର୍ଥକଙ୍କ ଦ୍ବାରା 40 ବର୍ଷର ସୁଦର୍ଶନ ପ୍ରେମାନିକଙ୍କୁ ମାଡ ମାରି ହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି । ସେପଟେ ଶାସକ ଦଳ ଏହି ଅଭିଯୋଗକୁ ଖଣ୍ଡନ କରିଛି। ତେବେ ଘଟଣା ପରେ ପୋଲିସ 8 ଜଣଙ୍କୁ ଅଟକ ରଖିଛି। ସଂଘର୍ଷ ପରେ ପଶ୍ଚିମ ଖାନକୁଲରେ ଉତ୍ତେଜନା ସୃଷ୍ଟି କରିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ।
ଏନେଇ ହୁଗୁଳି ଜିଲ୍ଲାର ପୋଲିସ ଅଧୀକ୍ଷକ ତଥାଗତ ବସୁ କହିଛନ୍ତି, ଶନିବାର ସକାଳେ ଖାନକୁଲରେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ବାଉଁଶ ବାଡ଼ିରେ ଆକ୍ରମଣ ହେବାପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ପଚରାଉଚରା ପାଇଁ ଆମେ ଆଠ ଜଣଙ୍କୁ ଅଟକ ରଖିଛୁ ବୋଲି ସେ କହିଛନ୍ତି ।