ଓଡିଶା

odisha

ETV Bharat / bharat

ବିଜେପିକୁ ମିଳିବନି ସଂଖ୍ୟାଗରିଷ୍ଠତା, ଏନଡିଏର କମିବ ୬୯ଟି ଆସନ: ସର୍ଭେ

ଭାରତୀୟ ବାୟୁ ସେନା ଦ୍ବାରା ପାକିସ୍ତାନ ସ୍ଥିତ ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ, ମିଶନ ଶକ୍ତିର ସଫଳତା ସତ୍ତ୍ବେ ବିଜେପିକୁ ଏଥର ସଂଖ୍ୟାଗରିଷ୍ଠତା ମିଳିବନି । ଏପରିକି ଏନଡିଏକୁ ମଧ୍ୟ ଏଥର ଗତ ଲୋକସଭା ନିର୍ବାଚନ ତୁଳନାରେ 69ଟି କମ୍ ଆସନ ମିଳିବ ବୋଲି ଏବିପି ନ୍ୟୁଜ-ସି ଭୋଟର ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

By

Published : Apr 7, 2019, 11:48 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ସହ ଦେଶରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ। ଏପ୍ରିଲ ୧୧ରୁ ସାରା ଦେଶରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା କରୁଛନ୍ତି ସର୍ଭେ। ମୋଦି ସରକାର ପୁଣିଥରେ କ୍ଷମତାକୁ ଫେରିବେ ନା ଅନ୍ୟ କାହାର ସରକାର କେନ୍ଦ୍ରରେ ଆସିବ ? ତାହାକୁ ନେଇ କରାଯାଇଛି ସର୍ଭେ । ଏହି କ୍ରମରେ ଆଜି(ରବିବାର) ଏବିପି ନ୍ୟୁଜ-ସି ଭୋଟର ଦ୍ବାରା ଦେଶର ୫୪୩ ଲୋକସଭା ଆସନରେ କରାଯାଇଛି ସର୍ଭେ । ଯେଉଁଥିରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ପୁଣିଥରେ ସଂଖ୍ୟା ଗରିଷ୍ଠତା ମିଳିନାହିଁ।

ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ପୁଲଓ୍ବାମା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁ ସେନା ପାକିସ୍ତାନ ସ୍ଥିତ ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିସାରିଥିଲା । ଏହା ସହ ପିଏମ ମୋଦି ମିଶନ ଶକ୍ତିର ସଫଳତା ବିଷୟରେ ସମଗ୍ର ଦେଶବାସୀକୁ ଜଣାଇଥିଲେ। କିନ୍ତୁ ଏହା ପରେ ମଧ୍ୟ ମୋଦି ସରକାରଙ୍କୁ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ମିଳୁନାହିଁ ବୋଲି ଉକ୍ତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

ଏପିବି ନ୍ୟୁଜ-ସି ଭୋଟର ସର୍ଭେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏପ୍ରିଲ ପ୍ରଥମ ସପ୍ତାହ ଯାଏ ଦେଶର ୫୪୩ଟି ଲୋକସଭା ଆସନରେ କରାଯାଇଛି। ଏହି ନିର୍ବାଚନରେ ଏନଡିଏକୁ ମାତ୍ର ୨୬୭ଟି ଆସନ ମିଳିବାର ଅନୁମାନ କରାଯାଉଛି। ଯାହା ଗତ ନିର୍ବାଚନ ଠାରୁ ୬୯ଟି ଆସନ କମ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୨୮୨ ଆସନ ଜିତିଥିଲା।

ସେହିପରି ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ୧୪୨ ଆସନ ଜିତିବାକୁ ସଫଳ ହେବ ବୋଲି ଉକ୍ତ ସର୍ଭେରେ କୁହାଯାଇଛି। ଅନ୍ୟଦଳକୁ ୧୩୪ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଚଳିତ ନିର୍ବାଚନରେ ଏନଡିଏକୁ ୪୨ ପ୍ରତିଶତ, ୟୁପିଏକୁ ୩୧ ପ୍ରତିଶତ ଓ ଅନ୍ୟଦଳକୁ ୨୭ ପ୍ରତିଶତ ଭୋଟ ମିଳିବ ବୋଲି ଏବିପି-ସି ଭୋଟର ସର୍ଭେ କହୁଛି ।

ଦେଶର ସବୁଠାରୁ ବଡ ରାଜ୍ୟ ତଥା ଅଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟ ହେଉଛି ୟୁପି । ଏଠାରେ ୮୦ ଲୋକସଭା ଆସନ ରହିଛି । ଚଳିତ ନିର୍ବାଚନରେ ଏନଡିଏ ଓ ମହାମେଣ୍ଟକୁ ୟୁପିରୁ ୪୩-୪୩ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରେ କୁହାଯାଇଛି । ସେହି ଅନୁସାରେ ଏନଡିଏକୁ ୩୨ଟି ଆସନ ଓ ମହାମେଣ୍ଟକୁ ୪୪ଟି ଆସନ ମିଳିବ । ଅନ୍ୟପକ୍ଷେ କଂଗ୍ରେସ ୧୩ ପ୍ରତିଶତ ଭୋଟ ସହ ୪ଟି ଆସନରେ ଜିତିବାରେ ସଫଳ ହେବ ବୋଲି ସର୍ଭେ ଦେଖାଉଛି ।

ସେହିପରି ଏହି ସର୍ଭେ ଅନୁସାରେ, ଓଡିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୨ ଓ ବିଜେଡି ୯ଟି ଆସନରେ ଜିତିବ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ନିଜ ଯାଦୁ ବଜାୟ ରଖିବାକୁ ସଫଳ ହେବେ । ଏଠାରେ ୪୨ଟି ଆସନରୁ ଟିଏମସି ୩୫, ବିଜେପି ୬ ଓ କଂଗ୍ରେସ ଗୋଟିଏ ଆସନରେ ଜିତିବେ । ସେହିପରି ମହାରାଷ୍ଟ୍ରର ୪୮ଟି ଆସନରୁ ଏନଡିଏ ୩୫ ଓ ୟୁପିଏ ୧୩ଟି ଆସନ ଜିତିବ ।

ଏବିପିର ଏହି ସର୍ଭେ ଅନୁସାରେ, ବିହାରର ୪୦ଟି ଲୋକସଭା ଆସନରୁ ଏନଡିଏକୁ ୩୪ ଓ ୟୁପିଏକୁ ୬ଟି ଆସନ ମିଳିବ । ଝାରଖଣ୍ଡର ୧୪ଟି ଆସନରୁ ଏନଡିଏ ୫ ଓ ୟୁପିଏ ୯ଟି ଆସନରେ ବିଜୟ ମିଳିବ । ପୂର୍ବୋତ୍ତର ଭାରତର ମୋଟ ୨୫ଟି ଆସନରୁ ୧୩ଟି ଏନଡିଏ, ୧୦ଟି ୟୁପିଏ ଓ ଅନ୍ୟଦଳ ୨ଟି ଆସନ ଜିତିବ ବୋଲି ଅନୁମାନ କରାଯାଇଛି । ସେହିପରି ଏହି ସର୍ଭେ ଦେଖାଉଛି ଯେ ଦକ୍ଷିଣ ଭାରତର ୧୨୯ଟି ଆସନରୁ ୟୁପିଏକୁ ୬୩, ଅନ୍ୟଦଳକୁ ୪୪ ଓ ଏନଡିଏକୁ ୨୨ଟି ଆସନ ମିଳିବ ।

ABOUT THE AUTHOR

...view details