ଓଡିଶା

odisha

ETV Bharat / bharat

ବିଜେପିର 39 ବର୍ଷ ଯାତ୍ରା, 2ଟି ସିଟରୁ 303 ପର୍ଯ୍ୟନ୍ତ ଯାତ୍ରା - bjp jansangh

1986ରେ ଲାଲକୃଷ୍ଣ ଆଡଭାଣୀ ବିଜେପିର ଅଧ୍ୟକ୍ଷ ହୋଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି କରି ଆରମ୍ଭ କରିଥିଲେ ରାମ ଜନ୍ମଭୂମି ଆନ୍ଦୋଳନ । 1989ରେ ଦଳ ପ୍ରଥମ ଥର ସଫଳତା ଲାଭ କରିଥିଲା । ପଢନ୍ତୁ କେମିତି ଥିଲା ବିଜେପିର ଏହି ସଂଘର୍ଷମୟ ଯାତ୍ରା...

bjp jansangh bjp
ବିଜେପିର 39 ବର୍ଷ ଯାତ୍ରା; 2ଟି ସିଟରୁ 303 ପର୍ଯ୍ୟନ୍ତ ଯାତ୍ରା

By

Published : Jan 23, 2020, 1:44 AM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବର୍ତ୍ତମାନ ଯେଉଁ ଗୌରବଶାଳୀ ତଥା ସୁବର୍ଣ୍ଣ ଯୁଗ ଚାଲିଛି ଏହା କୌଣସି ଚମତ୍କାର ନୁହେଁ । ଏହା ପଛରେ ରହିଛି ଲମ୍ବା ଓ ସଂଘର୍ଷମୟ ବଳିଦାନ । ସଂଘର୍ଷର ପରମ୍ପରା ଦେଶ ସ୍ବାଧିନ ହେବାର କିଛି ବର୍ଷ ତଥା 1951ରେ ଆରମ୍ଭ ହୋଇଥଲା । ସ୍ବତନ୍ତ୍ରତା ସେନାନୀ ଶ୍ୟାମା ପ୍ରସାଦ ମୁଖାର୍ଜୀ 1951ରେ ଭାରତୀୟ ଜନସଂଘ ସ୍ଥାପନା କରିଥିଲେ । ଜନସଂଘ ନାମରେ ପ୍ରତିଷ୍ଠା ହୋଇଥିବା ଏହି ରାଜନୈତିକ ଦଳ କଂଗ୍ରେସର ବିସ୍ତାରକୁ ରୋକିବାର ମୂଳଦୁଆ ଆରମ୍ଭ ପକାଇଥିଲା । ଏହି ରାଜନୈତିକ ଦଳ ହିନ୍ଦୁତ୍ବରେ ପ୍ରଭାବିତ ହେବା ସହ ରାଷ୍ଟ୍ରବାଦ ଓ ସାଂସ୍କୃତିକବାଦକୁ ନିଜର ଏଜେଣ୍ଡା କରିଥିଲା । ଏହା ମାଧ୍ୟମରେ କ୍ଷମତା ହାସଲ ପାଇଁ ସ୍ବପ୍ନ ଦେଖୁଥିଲା ।


ଜନସଂଘକୁ ‘ସଂଘ’ର ଆଶୀର୍ବାଦ

ଏହାରି ଭିତରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନସଂଘକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଆଶୀର୍ବାଦ ମିଳିସାରିଥିଲା । ସେତେବେଳେ ଜନସଂଘକୁ ଆରଏସଏସର ରାଜନୈତିକ ମଞ୍ଚ ବୋଲି କୁହାଗଲା । ଏହା ପରଠାରୁ ହିଁ ସ୍ବୟଂସେବକମାନେ ଜନସଂଘ ପାଇଁ ନିଷ୍ଠାର ସହ କାମ କରିବା ଆରମ୍ଭ କଲେ । ଏହି କାରଣ ପାଇଁ ଜନସଂଘକୁ ସଂଘର ରାଜନୈତିକ ମଞ୍ଚ କୁହାଗଲା ।


ସାଂସ୍କୃତିକ ରାଷ୍ଟ୍ରବାଦ ଏଜେଣ୍ଡା

ଜନସଂଘ ନିଜ ପ୍ରଥମ ଅଭିଯାନ କଂଗ୍ରେସ ଦଳଠାରୁ ଆରମ୍ଭ କରିଥିଲା । ଦଳ କଂଗ୍ରେସକୁ ମୁସଲିମ ତୁଷ୍ଟିକରଣ ଅଭିଯୋଗ ଆଣି ଏହାର ବିରୋଧ କଲା । ଜନସଂଘ 1953ରେ କାଶ୍ମୀର ପ୍ରସଙ୍ଗକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କଲା । ଶ୍ୟାମା ପ୍ରସାଦ ମୁଖାର୍ଜୀ ‘ଏକ ଦେଶ-ଏକ ନିଶାନ-ଏକ ବିଧାନ’ର ନାରା ଦେଇଥିଲେ । ସେହି ବର୍ଷ କାଶ୍ମୀରରେ ପ୍ରବେଶ ପାଇଁ ଯାତ୍ରା ଆରମ୍ଭ କରିଥିଲେ । କାଶ୍ମୀରରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ମାସରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା । ପରେ ଜନସଂଘର ଦାୟିତ୍ବ ଦୀନଦୟାଲ ଉପାଧ୍ୟାୟଙ୍କ ହାତକୁ ଯାଇଥିଲା । ଏହା ପରଠାରୁ ଦୀନଦୟାଲ ମାନବବାଦର ନାରା ଦେଇଥିଲେ ।


ନିର୍ବାଚନରେ ବିଫଳତା

ଜନସଂଘ ରାଜନୀତିରେ ସକ୍ରିୟ ସତ୍ତ୍ବେ ନିର୍ବାଚନରେ 1967 ଯାଏଁ ସଫଳତା ପାଇନଥିଲା । ଏହି ବର୍ଷ ପୁଣି ଥରେ ଦୀନଦୟାଲ ଉପାଧ୍ୟାୟ ଜନସଂଘର ମହାସଚିବ ହେଲେ । ଏହାରି ଭିତରେ ଜନସଂଘରେ ଏମିତି ଦୁଇ ଜଣ ନେତାଙ୍କ ପ୍ରବେଶ ହୋଇସାରିଥିଲା ଯେଉଁମାନେ ଦେଶରେ ଆଗାମୀ ରାଜନୀତିର ଚେହେରା ବଦଳାଇ ଦେବାର କ୍ଷମତା ରଖୁଥିଲେ । ଏହି ଦୁଇ ଜଣ ଥିଲେ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାଣୀ । 1968ରେ ବାଜପେୟୀ ଜନସଂଘର ଅଧ୍ୟକ୍ଷ ହେବା ସହ ସରକାରଙ୍କ ସାମ୍ନାରେ 3ଟି ଦାବି ରଖିଥିଲେ । ପ୍ରଥମ- ପୁରାଦେଶରେ ନାଗରିକତା ନିୟମ କାର୍ଯ୍ୟକରୀ , ଦ୍ବିତୀୟ- ଗୋ-ହତ୍ୟା ବନ୍ଦ କରିବା ଏବଂ ତୃତୀୟ- ଜାମ୍ମୁ କାଶ୍ମୀରରେ ସ୍ବତନ୍ତ୍ର ସୁବିଧା ବନ୍ଦ କରିବା ।


ଜୁରୁରୀ ପରିସ୍ଥିତି ଓ ଜନସଂଘ

1975ରେ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜନସଂଘ ଆରମ୍ଭ କରିଥିଲା ଆନ୍ଦୋଳନ । ପରେ ଜରୁରୀ ପରିସ୍ଥିତି ଶେଷ ହେବା ପରେ 1977ରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଏଠି କେତେକ ଦଳର ବିଲୟ ଘଟିଲା ଜନତା ପାର୍ଟିରେ । ସମସ୍ତ ଦଳ ମିଳିତ ଭାବେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢିଲେ । ସଫଳତା ମଧ୍ୟ ମିଳିଲା । ମୋରାରଜୀ ଦେଶାଇ ହେଲେ ଦେଶର ପ୍ରଧାନମନ୍ତ୍ରୀ । ଜନସଂଘ ନେତାଙ୍କୁ ମଧ୍ୟ ସରକାରରେ ମିଳିଲା ଗୁରୁତ୍ବ । ଅଟଳ ବିହାରୀ ବାଜପେୟୀ ହେଲେ ବିଦେଶ ମନ୍ତ୍ରୀ । ହେଲେ ଏହି ସରକାର ବେଶି ଦିନ ତିଷ୍ଠିଲା ନାହିଁ । 1979ରେ ସରକାର ଭାଙ୍ଗିଗଲା ।


ବିଜେପିର ସ୍ଥାପନା

ମୋରାରଜୀ ଦେଶାଇଙ୍କ ସରକାର 1979ରେ ଭାଙ୍ଗିବା ପରେ 6 ଅପ୍ରେଲ 1980ରେ ଜନ୍ମ ନେଲା ଭାରତୀୟ ଜନତା ପାର୍ଟି (ବିଜେପି) । ଏହାର ପ୍ରଥମ ଅଧ୍ୟକ୍ଷ ହେଲେ ଅଟଳ ବିହାରୀ ବାଜପେୟୀ ।

2ସିଟ ବିଜୟ ସହ ବିଜେପି ଖାତା ଖୋଲିଲା


1984ରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ସାଧାରଣ ନିର୍ବାଚନ ହେଲା । ଏହି ନିର୍ବାଚନରୁ ଅଟଳ-ଆଡୱାଣୀ ଯୋଡି ଫାଇଦା ନେବାର ସମସ୍ତ ଯୋଜନା କରିଥିଲେ । ହେଲେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଅଭୂତପୂର୍ବ ସହାନୁଭୂତି ଫଳରେ କଂଗ୍ରେସ ଜବରଦସ୍ତ ବିଜୟ ହାସଲ କରିବା ସହ ବିରୋଧୀଙ୍କୁ ସଫା କରିଦେଇଥିଲା । ଏହି ନିର୍ବାଚନରୁ ବଡ ବିଜୟ ଆଶା ରଖିଥିବା ଅଟଳ-ଆଡୱାଣୀଙ୍କ ବିଜେପିକୁ ମାତ୍ର 2ଟି ସିଟ ମିଳିଥିଲା ।

ଆଡଭାଣୀ ଏବଂ ରାମ ମନ୍ଦିର ଆନ୍ଦୋଳନ

1986ରେ ଲଲାକୃଷ୍ଣ ଆଡଭାଣୀ ବିଜେପିର ଅଧ୍ୟକ୍ଷ ହୋଇଥିଲେ । ଦାୟିତ୍ବ ନେବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି କରି ଆଡଭାଣୀ ରାମ ଜନ୍ମ ଭୂମି ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ଫଳ ମଧ୍ୟ ଦଳକୁ 1989 ସାଧାରଣ ନିର୍ବାଚନରେ ମିଳିଲା । ଏହି ନିର୍ବାଚନରେ ଦଳକୁ 86 ସିଟ ମିଳିଥିଲା । 1991ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ କ୍ଷମତାକୁ ଫେରିଲା ସତ କିନ୍ତୁ ବିଜେପି ମଧ୍ୟ 120 ସିଟରେ ପହଞ୍ଚିଗଲା ।

ପ୍ରଥମ ଥର ଅଟଳ ହେଲେ ପିଏମ

1996ରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି 161 ସିଟରେ ବିଜୟ ସହ ପ୍ରଥମ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ବିରୋଧୀଙ୍କ ଭରସାରେ ଅଟଳ ପ୍ରଧାନମନ୍ତ୍ରୀ ହୋଇଥିଲେ ସତ କିନ୍ତୁ ଆବଶ୍ୟକ ସଂଖ୍ୟା ଯୋଗାଡରେ ବିଫଳ କାରଣରୁ 13 ଦିନରେ ସରକାରର ପତନ ଘଟିଥିଲା । 1998ରେ ହୋଇଥିବା ନିର୍ବାଚନରେ ବିଜେପି ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ସହ 182 ସିଟରେ ବିଜୟ ହୋଇଥିଲା । ପୁଣି ଥରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ହେଲେ ଏହି ସରକାରର ଆୟୁଷ ମାତ୍ର 13 ମାସ ରହିଥିଲା ।


1999ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ବାଜପେୟୀ

13 ମାସର ସରକାରର ପତନ ପରେ 1999ରେ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେପିକୁ 182 ସିଟ ମିଳିଲା ସତ କିନ୍ତୁ ବାଜପେୟୀଙ୍କ ଦକ୍ଷ ନେତୃତ୍ବ ଓ ଦୂର ଦୃଷ୍ଟି ପାଇଁ ବିରୋଧୀଙ୍କ ସହଯୋଗରେ ପୁରା 5 ବର୍ଷ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

2004ରୁ 2014 ପର୍ଯ୍ୟନ୍ତ ବିରୋଧୀ ଦଳ ଭୂମିକା

ପ୍ରଥମ ଥର ବିଜେପି ନେତୃତ୍ବରେ ପୁରା 5 ବର୍ଷ ସରକାର ଚଳାଇବା ପରେ 2004 ସାଧାରଣ ନିର୍ବାଚନରେ ଅଟଳଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢିଥିଲା । ବିଜେପି ଏହି ନିର୍ବାଚନରେ ‘ଇଣ୍ଡିଆ ସାଇନିଂ, ଫିଲ ଗୁଡ’ର ନାରା ଦେଇ ନିର୍ବାଚନ ଲଢିଥିଲା । କିନ୍ତୁ ନିର୍ବାଚନରେ ଦଳ ଧରାଶାୟୀ ହୋଇଗଲା । ବିଜେପିର କିଛି ସହଯୋଗୀ ଅଟଳଙ୍କ ହାତ ଛାଡି ଦେଲେ । ଏହାଦ୍ବାରା 2004ରୁ 2014 ପର୍ଯ୍ୟନ୍ତ ଦଳ ବିରୋଧୀ ଦଳରେ ଆସନରେ ରହିଲା । ଅଟଳଙ୍କ ଅସୁସ୍ଥତା ପରେ ତାଙ୍କ ଶିଷ୍ୟ ଲାଲକୃଷ୍ଣ ଆଡଭାଣୀଙ୍କ ନେତୃତ୍ବରେ ବିଜେପି 2009 ଲୋକସଭା ନିର୍ବାଚନ ଲଢିଥିଲେ ମଧ୍ୟ ଦଳ ପରାଜୟ ବରଣ କରିଥିଲା ।


ବିଜେପିରେ ମୋଦି ଯୁଗର ଅୟମାରମ୍ଭ

2013ରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ରାଜନୀତିକୁ ପ୍ରବେଶ କରିସାରିଥିଲେ । ମୋଦିଙ୍କ ନେତୃତ୍ବରେ ବିଜେପି 2014 ସାଧାରଣ ନିର୍ବାଚନ ଲଢିଥିଲା ଏବଂ ଦଳକୁ ସ୍ପଷ୍ଟ ବହୁମତ ମିଳିଥିଲା । 282 ସିଟ ସହ ଦୀର୍ଘ 10 ବର୍ଷ ପରେ ବିଜେପି ଦିଲ୍ଲୀ ରାଜନୀତିକୁ ଫେରିଥିଲା । ପ୍ରଧାନମନ୍ତ୍ରୀ ଭାବେ ମୋଦି ଦାୟିତ୍ବ ନେଇ 5 ବର୍ଷ ଶାସନ କରିବା ସହ 2019 ନିର୍ବାଚନରେ କ୍ଷମତା ବଜାୟ ରଖିଥିଲେ । ଏହାସହ ମୋଦି ନିଜ ରେକର୍ଡ ଭାଙ୍ଗି 303 ସିଟ ସହ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । 1980ରେ ଜନ୍ମ ହୋଇଥିବା ବିଜେପିର ଏହି 39 ବର୍ଷର ଯାତ୍ରାରେ ଦଳ ଅନେକ ସଂଘର୍ଷ କରିବା ସହ ହଜାର ହଜାର ଦଳୀୟ ନେତା, କର୍ମୀ ମଧ୍ୟ ବଳିଦାନ ଦେଇଛନ୍ତି । ଦଳର ବହୁ ନେତାଙ୍କ ବଳିଦାନ, ତ୍ୟାଗ, ସଂଘର୍ଷର ଫଳ ସ୍ବରୂପ ଦଳକୁ ଆଜି ଏହି ସଫଳତା ମିଳିଛି । ଏହି 39 ବର୍ଷର ଯାତ୍ରାରେ 10ଜଣ ଅଧ୍ୟକ୍ଷ ଦଳର ସେବା କରିଛନ୍ତି । ଏହି 10 ଜଣ ନେତା ହେଉଛନ୍ତି ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଜୋଶୀ, କୁଶୱାହ ଠାକରେ , ବଙ୍ଗାରୁ ଲକ୍ଷ୍ଣଣ, ଜନ କ୍ରିଷ୍ଣମୂର୍ତ୍ତୀ, ଭେଙ୍କେୟା ନାଇଡୁ, ରାଜନାଥ ସିଂ, ନୀତିନ ଗଡକରୀ ଓ ଅମିତ ଶାହା ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details