ଗୌହାଟୀ :ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଆସାମର ବନ୍ୟା ସ୍ଥିତି । ମୃତ୍ୟୁ ସଂଖ୍ୟା 76କୁ ବୃଦ୍ଧି ପାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି । 28ଟି ଜିଲ୍ଲାର ପାଖାପାଖି 36 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଚାରୋଟି ଜିଲ୍ଲାର 22 ଲକ୍ଷ ଲୋକେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି । ଧୁବ୍ରିର 892,109, ଗୋଲପରାର 443,768, ବାରପେଟର 429,708 ଓ ମୋରିଗାଓଁର 424,541 ଲୋକେ ପ୍ରଭାବିତ ହୋଇଛନ୍ତି ।
ବନ୍ୟାରେ 86 ପଶୁଙ୍କ ମୃତ୍ୟୁ ହୋଇଥିବା ଓ କାଜିରଙ୍ଗା ଜାତୀୟ ଉଦ୍ୟାନର 95 ପ୍ରତିଶତ ଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ବିପର୍ଯ୍ୟୟ ପରିଚାଳନା ଅଥୋରିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି । ଡାରଙ୍ଗ, ସୋନିଟପୁର, ବିଶ୍ବନାଥ, ଟିନୁସୁକିଆ, ଲକ୍ଷ୍ମୀପୁର, ବଙ୍ଗାଇଗାଓଁ, କାମ୍ରୁପ, ଗୋଲାଘାଟ, ସିଭାସାଗର, ମୋରିଗାଓଁ, ଧୁବ୍ରି, ନାଗାଓଁ, ନାଲବାରୀ, ବାରପେଟା, ଧାମଜୀରେ ବନ୍ୟା ଯୋଗୁଁ 76 ଜଣଙ୍କର ଜୀବନ ଯାଇଥିବାବେଳେ ଭୁସ୍ଖଳନରେ 26 ଜଣଙ୍କର ପ୍ରାଣବାୟୁ ଉଡିଯାଇଛି । ଧାନସିରୀ, ଜିଆ ଭରଲୀ, କୋପିଲି, ବେକି, ବାରକ, କୁଶିଆରା ଓ ବ୍ରହ୍ମପୁତ୍ର ନଦୀ 12ରୁ ଅଧିକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।