ଜୟପୁର: ରାଜସ୍ଥାନ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ଦାବି କରୁଥିବା ସଚିନ ପାଇଲଟଙ୍କ ସରିଯାଇଛି ଖେଳ । ଭେଟେରାନ ଅଶୋକ ଗେହେଲଟଙ୍କ ରଣନୀତି ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହେଲେ ଏହି ଯୁବନେତା । ଫଳରେ ଗେହେଲଟ ସରକାର ଆଶଙ୍କାରେ ଥିବା ନେଇ ଚାଲିଥିବା ଆଶା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡିଛି । ତେବେ ଦଳରୁ ବହୁ ଦୂରକୁ ଚାଲିଯାଇଥିବା ପାଇଲଟଙ୍କ ପ୍ରତ୍ୟାବର୍ତ୍ତନ ପରେ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି । କୁହାଯାଉଛି ଗେହେଲଟଙ୍କ ରଣନୀତି ଆଗରେ ବିକଳ୍ପହୀନ ହୋଇଗଲେ ପାଇଲଟ ।
ଅଶୋକ ଗେହେଲଟଙ୍କ ରଣନୀତି
ଅଶୋକ ଗେହେଲଟ ଏହି ଘଟଣାର ପୁରା ସ୍କ୍ରିପ୍ଟ ରାଇଟ ଭୂମିକାରେ ଆସିଯାଇଛନ୍ତି । କାରଣ ସେ ହିଁ ଏତଲା କରାଇଲେ । ପାଇଲଟଙ୍କ ବିଦ୍ରୋହରେ ରାଜଦ୍ରୋହ ମାମଲା ରୁଜୁ କଲେ । ଅଡିଓ ରେକର୍ଡ ଥିବା ଦାବି କଲେ । ଯେଉଁଥି ପାଇଁ ଆରମ୍ଭ ହେଲା ଘମାସାନ । ଗେହେଲଟ ଆପଣାଇଲେ ଡବଲ ରଣନୀତି । ଗୋଟିଏ ପଟେ ସଚିନ ପାଇଲଟଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଅନ୍ୟପଟେ ବିଜେପି ବିରୋଧରେ ଆଣିଲେ ସଂଗୀନ ଅଭିଯୋଗ । ସେପଟେ ହାଇକମାଣ୍ଡଙ୍କୁ ସିଧାସଳଖ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତାବ ଦେଲେ । ଏତତ ବ୍ୟତୀତ ପିସିସି ଓ ଉପ-ମୁଖ୍ୟମନ୍ତ୍ରୀ ପଦ ଛଡାଇ ନେବାରେ ଗେହେଲଟ ସଫଳ ହେଲେ । ସେହିପରି ସଚିନ ଗୋଷ୍ଠୀ ବିଧାୟକଙ୍କୁ ବାଚସ୍ପତିଙ୍କ ଜରିଆରେ ନୋଟିସ ପଠାଇଲେ । ରାଜଭବନ ଯାଇ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଲେ ।
ଆବଶ୍ୟକ ସଂଖ୍ୟା ଯୋଗାଡରେ ବିଫଳ ସଚିନ
ସଚିନ ପାଇଲଟ 12 ଜୁଲାଇରେ ଯେତେବେଳେ ମାନେଶ୍ବର ହୋଟେଲରେ ପହଞ୍ଚିଲେ ସେତେବେଳେ ସାଙ୍ଗରେ 25 ବିଧାୟକ ଥିଲେ । କିନ୍ତୁ କୌଣସି ପ୍ରକାରରେ 3 ଦିନ ପରେ 3 ବିଧାୟକ ରାଜସ୍ଥାନ ଫେରିଆସିଲେ । ଏହାପରେ 3 ଜଣ ସ୍ବାଧିନ ବିଧାୟକଙ୍କୁ ନେଇ ପାଇଲଟଙ୍କ ପାଖରେ 22 ଜଣ ବିଧାୟକ ରହିଲେ । ସାଙ୍ଗରେ ଥିବା ବିଧାୟକ ମଧ୍ୟ ଭବିଷ୍ଯତକୁ ନେଇ ଆଶା ଆଶଙ୍କାରେ ଫଶିଗଲେ । ସେହିଭଳି ଭରସାଯୋଗ୍ୟ ଭମ୍ବର ଲାଲ ମଧ୍ୟ ସଚିନଙ୍କ ହାତ ଛାଡିଦେବାପରେ ବିକଳ୍ପ ଶୂନ୍ୟ ହୋଇପଡିଲେ ପାଇଲଟ ।