ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନେଇ ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରଚାର ପ୍ରସାର ଜୋରଦାର କରାଯାଇଛି । ଇତି ମଧ୍ୟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ରାଲିର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଠି ସେ ବିବାଦୀୟ 'ଦେଶକେ ଗଦ୍ଦାରୋକୋ ଗୋଲି ମାରୋ' ର ନାରା ଲଗାଉଥିବା ଦେଖାଯାଇଛି । ତେବେ ଏନେଇ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ତାଙ୍କୁ କଡା ସମାଲୋଚନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଭିଡିଓରେ ଅନୁରାଗ ଠାକୁର ମଞ୍ଚରେ ଠିଆ ହୋଇ 'ଦେଶକେ ଗଦ୍ଦାରୋକୋ....' ବୋଲି କହୁଛନ୍ତି । ଏହାର ଜବାବରେ ଉପସ୍ଥିତ ଲୋକ 'ଗୋଲି ମାରୋ ସାଲୋ କୋ' ବୋଲି ଉଚ୍ଚାରଣ କରୁଛନ୍ତି । ମଞ୍ଚରେ ଉପସ୍ଥିତ ନେତା ମାନେ ମଧ୍ୟ ଏହି ନାରା ଲଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।
ତେବେ ଅନୁରାଗଙ୍କ ଏହି ଭିଡିଓ ଟ୍ବିଟରରେ ସେୟାର କରି ଆମ ଆଦମି ପାର୍ଟିର ପୂର୍ବ ନେତା ପ୍ରଶାନ୍ତ ଭୂଷଣ ତାଙ୍କୁ କଡା ସମାଲୋଚନା କରିଛନ୍ତି । ଅନୁରାଗଙ୍କର ଏଭଳି ଚିନ୍ତାଧାରା ପାଇଁ ତାଙ୍କୁ ଜେଲ ପଠାଇବା ଉଚିତ ବୋଲି ସେ କହିଛନ୍ତି । ସେ କହିଛନ୍ତି, 'ଲୋକଙ୍କୁ ହିଂସା ପାଇଁ ପ୍ରତ୍ସାହନା ଦେଉଥିବା ଲୋକଙ୍କୁ ଜେଲରେ ରହିବା ଉଚିତ । ଜଣେ କ୍ୟାବିନେଟ ମନ୍ତ୍ରୀ ହୋଇ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି । ବିଜେପିକୁ କ୍ୟାବିନେଟ ପାଇଁ ଏଭଳି ଅଶିକ୍ଷିତ ବ୍ୟକ୍ତି ହିଁ ମିଳୁଛନ୍ତି । '
ସେପଟେ କଂଗ୍ରେସ ଅନୁରାଗ ଠାକୁରଙ୍କ ଏଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଅଲ ଇଣ୍ଡିଆ ମହିଳା କଂଗ୍ରେସ ଟ୍ବିଟ କରି କହିଛି, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଧ୍ରୁବିକରଣ କରିବା ପାଇଁ ବିଜେପି ଉତ୍ସାହିତ ରହିଛି । ଠାକୁରଙ୍କ ଏଭଳି ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । '
ସୂଚନାଯୋଗ୍ୟ ଯେ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମନୀଷ ଚୌଧୁରୀଙ୍କ ପାଇଁ ପ୍ରଚାର କରୁଥିଲେ । ମନୀଷ ରିଠାଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏହି ସମୟରେ ଠାକୁର ବିବାଦୀୟ ମନ୍ତବ୍ୟ ଦେଇଥିବା ଜଣା ପଡିଛି ।