ନୂଆଦିଲ୍ଲୀ: ତିନି ତଲାକକୁ ନେଇ ବିରୋଧୀ ଦଳ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ରବିବାର ଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ତିନି ତଲାକରୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ସେ କହିଛନ୍ତି, ବିରୋଧୀ ଦଳ ଭୋଟ ବ୍ୟାଙ୍କ ପାଇଁ ତିନି ତଲାକ ବିଲ୍କୁ ବିରୋଧ କରୁଥିଲେ । କିନ୍ତୁ ତିନି ତଲାକ ବିଲ୍ ପାସ ହେବାପରେ ଯାଇ ମୁସଲିମ ମହିଳାଙ୍କୁ ତାଙ୍କ ହକ୍ ମିଳିଲା ।
ବିରୋଧୀ ଦଳ ଉପରେ ଭୋଟ ବ୍ୟାଙ୍କିଙ୍ଗ ରାଜନୀତି କରୁଥିବା ଆରୋପ ଲଗାଇ ଶାହ କହିଛନ୍ତି, କିଛି ଦଳକୁ ଭୋଟ ବ୍ୟାଙ୍କିଙ୍ଗର ଚିନ୍ତା ଥିଲା । ତେଣୁ ସେମାନେ ଏହାର ବିରୋଧ କରୁଥିଲେ । ଏହା ଏକ କୁପ୍ରଥା ଏବଂ ଅନ୍ୟାୟ ବୋଲି ସେମାନେ ଜାଣିଥିଲେ । ତଥାପି ସଂସଦରେ ବିଲ୍କୁ ବିରୋଧ କରିଥିଲେ ସେମାନେ । ସେମାନଙ୍କ ସନ୍ତୁଷ୍ଟିକରଣ ଏବଂ ରାଜନୀତି ପାଇଁ ବର୍ଷ ବର୍ଷ ଧରି ଏହି କୁପ୍ରଥା ଚାଲିଆସୁଥିଲା ।
ଏହାସହିତ କଂଗ୍ରେସକୁ ସମାଲୋଚନା କରି ଶାହ କହିଛନ୍ତି, 1985 ଏପ୍ରିଲ 23 ରେ ସୁପ୍ରିମ କୋର୍ଟ ଶାହ ବାନୋଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ତିନି ତଲାକକୁ ସମାପ୍ତ କରିବା ପାଇଁ ସୁପ୍ରିମ କୋର୍ଟ କହିଥିଲେ, ତିନି ତଲାକ ଦେଉଥିବା ସ୍ବାମୀ ପତ୍ନୀଙ୍କୁ ଖର୍ଚ୍ଚ ଦେବାକୁ ବାଧ୍ୟତାମୂଳକ ଏବଂ ତଲାକ ପାଇଁ କାରଣ ଦର୍ଶାଇବା ଆବଶ୍ୟକ । କିନ୍ତୁ ରାଜୀବ ଗାନ୍ଧୀ କେତେକ ମୁସଲମାନଙ୍କ ଚାପରେ ଏବଂ ଭୋଟ ବ୍ୟାଙ୍କ ପାଇଁ କୋର୍ଟଙ୍କ ରାୟକୁ ସମାପ୍ତ କରିଥିଲେ । ଆଜି ମଧ୍ୟ କଂଗ୍ରେସକୁ ଲଜ୍ଜ୍ୟା ନାହିଁ, ତିନି ତଲାକକୁ ସେମାନେ ସମର୍ଥନ କରୁଛନ୍ତି ଏବଂ ଏହା ଜାରି ରହିବା ଦରକାର ବୋଲି କହୁଛନ୍ତି । ସେମାନେ କେବଳ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଏହାର ବିରୋଧ କରୁଥିଲେ ବୋଲି ଶାହ କହିଛନ୍ତି ।
ଏହା ସହିତ ତିନି ତଲାକ ବିଲ ମୁସଲମାନ ମହିଳାଙ୍କ ହିତ ପାଇଁ ହୋଇଥିବା ସ୍ପଷ୍ଟ କହିଛନ୍ତି ଶାହ । ନାରୀଙ୍କୁ ଇଶ୍ବର ୟେଉଁ ସମାନତାର ଅଧିକାର ଦେଇଛନ୍ତି ତାହା ଏହି ତିନି ତଲାକ ବିଲ୍ ସ୍ଥାପିତ କରୁଛି । ଯଦି ଆଜି ବି ଆମେ ଏହି କୁପ୍ରଥାକୁ ନଷ୍ଟ ନକରିଥାନ୍ତୁ ତାହେଲେ ଦୁନିଆ ଆଗରେ ଭାରତ ପାଇଁ ଲଜ୍ଜ୍ୟାଜନକ କିଛି ହୋଇନଥାନ୍ତା ବୋଲି ସେ କହିଛନ୍ତି ।