ନୂଆଦିଲ୍ଲୀ: ମହଙ୍ଗା ପଡିଛି ଯାତ୍ରୀଙ୍କୁ ନିରାମିଷ ବଦଳରେ ଆମିଷ ଖାଦ୍ୟ ଦେବା । ଏୟାର ଏସିଆ କମ୍ପାନୀକୁ କଜ୍ୟୁମର କୋର୍ଟ ଲଗାଇଛନ୍ତି 1.54 ଲକ୍ଷ ଟଙ୍କାର ଜୋରିମାନା । କମ୍ପାନୀ ନାମରେ ଲାଗିଛି ଆମିଷ ଖାଦ୍ୟ ଦେବା ସହ ପରିବାରକୁ ହଇରାଣ କରିବା ଅଭିଯୋଗ । ନିରାମିଷ ବଦଳରେ ଚିକେନ ସାଣ୍ଡଉଇଚ ଦେଇ କମ୍ପାନୀ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଗଣିଛନ୍ତି ।
ସୂଚନାନୁସାରେ ପଞ୍ଚକୁଲା ନିବାସୀ 61 ବର୍ଷୀୟ ବିଜୟ ଚୌହାନ ଅମୃତସରରୁ କୁଆଲାଲମ୍ପୁରକୁ ଏୟାର ଏସିଆରେ ଯାତ୍ରା କରୁଥିଲେ । ସେ ଦୁଇ ଦିନ 7 ଏବଂ 13 ଅକ୍ଟୋବର, 2018ରେ ଯିବା ଆସିବା ପାଇଁ ଟିକେଟ ବୁକ କରିଥିଲେ । ତେବେ ବିଜୟଙ୍କ ଅଭିଯୋଗ ଅନୁସାରେ, ସେ ଯିବା ପାଇଁ 59,482 ଏବଂ ଫେରିବା ପାଇଁ 15,016 ଟଙ୍କାର ଟିକେଟ ବୁକ କରିଥିଲେ ।
ସୂଚନାନୁସାରେ, ଯିବା ସମୟରେ ତାଙ୍କୁ କୌଣସି ପ୍ରକାର ସମସ୍ୟା ହୋଇନଥିଲା । ମାତ୍ର ଭାରତ ଫେରିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । 13 ଅକ୍ଟୋବର 2018ରେ ତାଙ୍କ ପରିବାର କୁଆଲାଲମ୍ପୁର ଏୟାରପୋର୍ଟ ପହଞ୍ଚି 5ଟା 12 ପର୍ଯ୍ୟନ୍ତ ସମସ୍ତ ଔପଚାରିକତା ପୁରା କରିନେଇଥିଲେ ।
ଫ୍ଲାଇଟ ଉଡାଣ ଭରିବା ସମୟ 7ଟା 20 ଥିଲା । ତେବେ ଅତ୍ୟଧିକ ଭିଡ କାରଣରୁ ତାଙ୍କ ପରିବାର ସଦସ୍ୟଙ୍କୁ ଚେକିଂ ସମୟରେ ପାଖାପାଖି 45 ମିନିଟ୍ ସମୟ ଲାଗିଥିଲା । ତାଙ୍କ ପରିବାରରେ 5 ଜଣ ବୟସ୍କ ଏବଂ ତିନି ଜଣ ଛୋଟ ପିଲା ରହିଥିଲେ ।