ହାଇଦ୍ରାବାଦ: ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା 370 ଉଚ୍ଛେଦ ହୋଇଯାଇଛି । ଏହା ସହିତ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଲଦାଖକୁ ଭିନ୍ନ କରି ଦେଇଛନ୍ତି ଏବଂ ଉଭୟକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦେଇଛନ୍ତି । ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ସତ୍ତ୍ବେ ଦିଲ୍ଲୀ ଏବଂ ପୁଡ୍ଡୁଚେରୀ ଭଳି ଏଠାରେ ବିଧାନସଭା ରହିବ । ତେବେ କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ପାକ୍ ଅଧିକୃତ କାଶ୍ମୀର(ପିଓକେ)ର କ'ଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଗତ ସୋମବାର ଏହି ପ୍ରଶ୍ନ ଉଠାଇଥିଲେ ।
ଜମ୍ମୁ-କାଶ୍ମୀର ଏବଂ ଲଦାଖ ଅଲଗା ହେବା ସହ ଅବଶ୍ୟ ଉଭୟର ପୁର୍ନଗଠନ ପୁଣିଥରେ ହେଉଛି । କିନ୍ତୁ ଭାରତ ପିଓକେ ଉପରେ ନିଜ ହକ ଏବେ ସୁଦ୍ଧା ବଜାୟ ରଖିଛି । ମଙ୍ଗଳବାର ସଂସଦକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ, ପାକ୍ ଅଧିକୃତ କାଶ୍ମୀର ମଧ୍ୟ ଭାରତର ଅଂଶ ଅଟେ ଏବଂ ଦେଶର ଅନ୍ତରୀଣ ଭୂଭାଗ ଅଟେ । ତେବେ ଜମ୍ମୁ-କାଶ୍ମୀର ବିଧାନସଭାରେ ବର୍ତ୍ତମାନ 107 ଆସନ ରହିଥିବା ବେଳେ ସେଥିରେ ପିଓକେର 24 ଆସନକୁ ପାକିସ୍ତାନ ପାଇଁ ଖାଲି ଛଡାଯାଏ । ଯଦି ପିଓକ ଭାରତରେ ସାମିଲ ହେଉଛି ତ ସେହି 24 ଆସନ ଭାରତର ହେବ ।