2016 ଫେବ୍ରୁଆରୀ 14 ତାରିଖ ଦିନ କାଶ୍ମୀରର ପୁଲୱାମା ନିକଟରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର କେତେକ ଗାଡ଼ି ଉପରେ ଜଣେ ମଟରଗାଡ଼ି ଆରୋହୀ ଆତ୍ମଘାତୀ ବୋମା ବିସ୍ଫୋରଣକାରୀର ଆକ୍ରମଣରେ 40 ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା । ଏହାର ଜବାବରେ, ଫେବ୍ରୁଆରୀ 26 ତାରିଖ ଦିନ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା । ପାକିସ୍ତାନର ଖାଇବର-ପଖତୁନ୍ଖ୍ବା ପ୍ରଦେଶରେ ବାଲାକୋଟ ଅବସ୍ଥିତ ଏବଂ 1971 ପରେ ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ ଭାରତୀୟ ବାୟୁ ସେନା ଆକାଶ ମାର୍ଗରୁ ଆକ୍ରମଣ କରିଥିଲା ।
ତା’ ପର ଦିନ, ପାକିସ୍ତାନ ବାୟୁ ସେନା ପକ୍ଷରୁ ଯେଉଁ ଜବାବୀ ଆକ୍ରମଣ ହୋଇଥିଲା, ତାହା ଭାରତର କୌଣସି ବାସ୍ତବ କ୍ଷତିସାଧନ କରିବାରେ ବିଫଳ ହୋଇଥିଲା । କିନ୍ତୁ, ଆକାଶ ମାର୍ଗର ଏହି ଲଢ଼େଇରେ, ପାକିସ୍ତାନର ଏକ ଏଫ୍-18 ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା ଏବଂ ଭାରତ ଏକ ମିଗ୍-21 ବିମାନ ହରାଇଥିଲା । ଏହି ବିମାନର ପାଇଲଟ ପାକିସ୍ତାନ ଅଞ୍ଚଳରେ ଅବତରଣ କରିବାକୁ ବାଧ୍ୟ ହେବା ପରେ ତାଙ୍କୁ ବନ୍ଦୀ କରାଯାଇଥିଲା । ପରବର୍ତ୍ତୀ କିଛି ଘଣ୍ଟା ପାଇଁ ପରିସ୍ଥିତି ଯୁଦ୍ଧ ଆଡ଼କୁ ମୁହାଁଉଥିବା ଭଳି ମନେ ହେଉଥିଲା । ସୌଭାଗ୍ୟବଶତଃ, ଅନ୍ତର୍ଜାତୀୟ ଚାପ ଯୋଗୁଁ, ଉଭୟ ପକ୍ଷ ସାମରିକ କାର୍ଯ୍ୟାନୁ୍ଷ୍ଠାନରୁ ବିରତ ହୋଇଥିଲେ ଏବଂ ପାଇଲଟ ଜଣକ ଖୁବ୍ ଶୀଘ୍ର ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସାଧାରଣତଃ, ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଯାହା ସବୁ ସମୟରେ ହୋଇଥାଏ ତାହା ହିଁ ହେଲା ଏବଂ ବାଲାକୋଟ ଆକ୍ରମଣରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟାକୁ କେନ୍ଦ୍ର କରି ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଅଶୋଭନୀୟ ବାଦାନୁବାଦ ଆରମ୍ଭ ହୋଇଗଲା । ବିଦେଶୀ ଗଣମାଧ୍ୟମ ମଧ୍ୟ ଏହି ବିତର୍କର ବଳୟକୁ ଲମ୍ଫ ପ୍ରଦାନ କଲେ ଏବଂ ସମଗ୍ର ଇଣ୍ଟରନେଟ୍ରେ ବାଲାକୋଟର ଅନେକ ଉପଗ୍ରହ ଚିତ୍ର ଦୃଶ୍ୟମାନ ହେଲା । କେତେକ ଭାରତର କଥାକୁ ଠିକ୍ ବୋଲି ପ୍ରମାଣିତ କଲେ ତ ଆଉ କେତେକ ଏହା ଉପରେ ପ୍ରଶ୍ନ ଉଠାଇଲେ ।
ଗୋଟିଏ ବର୍ଷ ପରେ, ଆଜି ଯେତେବେଳେ ପରିସ୍ଥିତି ଶାନ୍ତ ହୋଇଯାଇଛି, ବାଲାକୋଟରେ ବାୟୁ ସେନା ଆକ୍ରମଣରୁ କ’ଣ ହାସଲ ହେଲା ଏବଂ ଭବିଷ୍ୟତ ପାଇଁ ଏଥିରୁ କି ଶିକ୍ଷା ମିଳିଲା, ସେ ସଂପର୍କରେ ଆମେ ଏକ ନିଷ୍ପକ୍ଷ ମତାମତ ଲାଗି ପ୍ରୟାସ କରିପାରିବା । ବିପତ୍ତି ସମୟରେ, କୌଣସି ଦେଶର ବିଶ୍ବସନୀୟତା ପରଖିବା ଲାଗି କେବଳ ଏହାର ସାମରିକ ସାମର୍ଥ୍ୟର ଆକାର ନୁହେଁ ବରଂ ଏହାର ଲକ୍ଷ୍ୟସାଧନ ନିମନ୍ତେ କାର୍ଯ୍ୟ କରିବା ଦିଗରେ ଏହି ସାମର୍ଥ୍ୟ ଉପଯୋଗର ଇଚ୍ଛାଶକ୍ତିକୁ ଆକଳନ କରିବା ଜରୁରୀ । ଦୀର୍ଘ ଦିନ ହେଲା, ଆତଙ୍କବାଦର ପ୍ରତିରୋଧ କ୍ଷେତ୍ରରେ ଭାରତ ଅତି ଆତ୍ମରକ୍ଷାମୂଳକ ମନୋଭାବକୁ ଆପଣେଇ ନେଇଛି ବୋଲି ଧରି ନିଆଯାଇଥିଲା ଏବଂ ଏହା ହିଁ କାଶ୍ମୀରରେ ଏକ ଛାୟା ଯୁଦ୍ଧ ଚଳାଇବା ସହଜସାଧ୍ୟ ବୋଲି ପାକିସ୍ତାନରେ ଏକ ନିଶ୍ଚିନ୍ତ ମନୋଭାବ ସୃଷ୍ଟି କରିଥିଲା । ସାମରିକ ସାଧନର ଉପଯୋଗ କରିବା ଲାଗି ଭାରତୀୟ ରାଜନୈତିକ ନେତୃତ୍ବର ଦୃଢ଼ ସଂକଳ୍ପବଦ୍ଧତା ଏବଂ ଇଚ୍ଛାଶକ୍ତି ଯୋଗୁଁ ଏହି ଧାରଣା ଏବେ ବଦଳି ଯାଇଛି । ପାକିସ୍ତାନ ଯଦି ଭାରତରେ ଆତଙ୍କବାଦୀ ଆକ୍ରମଣକୁ ପ୍ରୋତ୍ସାହନ ଜାରି ରଖେ, ତେବେ ଏହା ବଦଳରେ କେଉଁ ମୂଲ୍ୟ ଦେବାକୁ ପଡ଼ିବ ତାହାକୁ ଏବେ ପାକିସ୍ତାନ ଗୁରୁତ୍ବର ସହ ବିଚାର କରିବ ।
ପ୍ରଥମ ଥର ପାଇଁ କୌଣସି ଆତଙ୍କବାଦୀ ଆକ୍ରମଣ ଜବାବରେ ବାୟୁସେନାର ଶକ୍ତି ପ୍ରୟୋଗ କରାଯାଇଥିଲା । ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ସହ ଏକ ସାକ୍ଷାତ୍କାରରେ ବାୟୁସେନା ମୁଖ୍ୟ ଭଦୌରିୟା କହିଲେ, “ବାଲାକୋଟରେ ଆକାଶ ମାର୍ଗରୁ ଆକ୍ରମଣ ଦ୍ବାରା ଜାତୀୟ ଲକ୍ଷ୍ୟ ହାସଲ ଦିଗରେ ବାୟୁସେନା ଶକ୍ତି ଉପଯୋଗର ଧାରାକୁ ନୂତନ ରୂପ ଦିଆଯାଇଛି ଏବଂ ଉପ ମହାଦେଶ ଅଞ୍ଚଳରେ ପରିଲକ୍ଷିତ ପ୍ରାୟତଃ ପାରମ୍ପରିକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଜବାବୀ କାର୍ଯ୍ୟାନୁଷ୍ଠାନର ଦୃଷ୍ଟାନ୍ତକୁ ଏହା ବଦଳାଇ ଦେଇଛି ।” ଏ କଥା ସ୍ପଷ୍ଟ ଯେ ସବୁ ଆତଙ୍କବାଦୀ ଆକ୍ରମଣ ପରେ ଆକାଶ ମାର୍ଗରୁ ପ୍ରତି ଆକ୍ରମଣ କରାଯିବ ନାହିଁ, କିନ୍ତୁ ବାୟୁ ସେନା ଶକ୍ତିର ବିନିଯୋଗ ଯୋଗୁଁ ପାକିସ୍ତାନକୁ ବିବଶ କରିବା ଲାଗି ଭାରତ ପାଖରେ ଥିବା ପ୍ରତ୍ୟୁତ୍ତରମୂଳକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଉପାୟ ତାତ୍ପର୍ଯ୍ୟପୂର୍ଣ୍ଣ ଢଙ୍ଗରେ ବୃଦ୍ଧି ପାଇଛି ।