2020 ମେ ମାସ ମଧ୍ୟଭାଗରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ପଦାସୀନ ମହାନିର୍ଦ୍ଦେଶକ ( ଡିଜି ) ବ୍ରାଜିଲର ରବର୍ଟୋ ଆଜଭେଡୋ ଏହି ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପଦ ଛାଡିବା ପାଇଁ ଘୋଷଣା କରିଥିଲେ । 4 ବର୍ଷିଆ ଦ୍ବିତୀୟ ପାଳିର ବର୍ଷକ ପୂର୍ବରୁ ପଦ ଛାଡିବେ ଆଜଭେଡୋ । ଆନ୍ତର୍ଜାତିକ ସମ୍ପର୍କ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜଭେଡୋଙ୍କ ସ୍ଥାନରେ ନୂଆ ଡିଜି ମନୋନୟନ କରିବା ବିଶ୍ବ ବାଣିଜ୍ୟ ସଂଗଠନ ପାଇଁ ଉଭୟ ଆହ୍ବାନ ଓ ସୁଯୋଗ ସୃଷ୍ଟି କରିଛି ।
ବିଶ୍ବ ବାଣିଜ୍ୟ ସଂଗଠନରେ ସବୁ ନିଷ୍ପତି ସହମତିରେ ହୁଏ । ସଂଗଠନର ସଦସ୍ୟଙ୍କ ମଧ୍ୟରେ ସହମତି ସୃଷ୍ଟି କରିବା ପାଇଁ ଏହାର ମହାନିର୍ଦ୍ଦେଶକ ହିଁ ପରଦା ପଛରେ ରହି କାମ କରନ୍ତି । ବର୍ତମାନ ବେଶ ପରିତିତ ‘ଗ୍ରୀନ୍ ରୁମ’ ପ୍ରକ୍ରିୟାରେ ଅଧ୍ୟକ୍ଷତା କରନ୍ତି ସଂଗଠନର ମହାନିର୍ଦ୍ଦେଶକ ।
ଏହି ଅଣଆନୁଷ୍ଠାନିକ ବ୍ୟବସ୍ଥା ସବୁ ମନୋନୀତ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସମେତ ବିଶ୍ବ ବାଣିଜ୍ୟ ସଂଗଠନର ସଦସ୍ୟତା ମଧ୍ୟରେ ରହିଥିବା ସବୁ ପ୍ରମୁଖ ଗୋଷ୍ଠୀର ସଂଯୋଜକ ଏକାଠି ହୋଇ ଜଟିଳ ପ୍ରସଙ୍ଗ ଉପରେ ସହମତି ପାଇଁ ଚେଷ୍ଟା କରନ୍ତି । ଏହି ପ୍ରକ୍ରିୟାରେ ସାଧାରଣତଃ 40ଟି ପ୍ରତିନିଧିମଣ୍ଡଳକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ଫଳସ୍ବରୂପ କଷ୍ଟକର ସମସ୍ୟାର ସମାଧାନ ପାଇଁ ଏକ ନୂଆ ଆଭିମୁଖ୍ୟ ସୃଷ୍ଟି ହୁଏ ।
ଏଭଳି ଅଣଆନୁଷ୍ଠାନିକ ବୈଠକରେ ବିଭିନ୍ନ ଦେଶର ପ୍ରତିନିଧିମଣ୍ଡଳର ବାଣିଜ୍ୟ ମନ୍ତ୍ରୀମାନେ ଭାଗ ନେଇ ‘ବାଣିଜ୍ୟ ସନ୍ତୁଳନ’ ଉପରେ ଆଲୋଚନା କରନ୍ତି । ବିଶ୍ବ ବାଣିଜ୍ୟ ସଂଗଠନ ସହ ଜଡିତ ରାଜନୈତିକ ଦୃଷ୍ଟିକୋଣରୁ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବି ଆଲୋଚନା ହୁଏ । କିଛି ଦେଶ ଦ୍ବାରା ଉଠାଯାଇଥିବା ଟେକନିକାଲ୍ ଇସ୍ୟୁର ସମାଧାନ ପାଇଁ ମହାନିର୍ଦ୍ଦେଶକଙ୍କୁ ଡକାଯାଇଥାଏ ।
‘ସବୁ କଥାରେ ସହମତି ସୃଷ୍ଟି ନ ହେଲା ପର୍ଯ୍ୟନ୍ତ କିଛି ବି ସହମତି ହୋଇନାହିଁ’ –ଏହା ହିଁ ହେଲା ‘ଗ୍ରୀନ ରୁମ୍’ ଅଣଆନୁଷ୍ଠାନିକ କଥାବାର୍ତା ପ୍ରକ୍ରିୟାରେ ଅନ୍ତର୍ନିହିତ ନୀତି । ଦୋହା ପର୍ଯ୍ୟାୟ କଥାବାର୍ତାରେ ଅଚଳାବସ୍ଥା ସୃଷ୍ଟି ହେବା ଯାଏଁ ‘ଗ୍ରୀନ ରୁମ୍’ ପ୍ରକ୍ରିୟାରୁ ଫଳାଫଳ ମିଳିଛି, ଯାହା କି ବିଶ୍ବ ବାଣିଜ୍ୟ ସଂଗଠନର ମନ୍ତ୍ରିସ୍ତରୀୟ ସମ୍ମିଳନୀର ସ୍ବୀକୃତି ମିଳିଛି ।
ଯେପରିକି ୧୯୯୬ରେ ସିଙ୍ଗାପୁରରେ ଆୟୋଜିତ ପ୍ରଥମ ଡବ୍ଲୁଟିଓ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ପୁଞ୍ଜି ବିନିଯୋଗ ଓ ପ୍ରତିଦ୍ବନ୍ଦ୍ବିତା ନୀତି ଭଳି ନୂଆ ପ୍ରସଙ୍ଗ ଉପରେ କଥାବାର୍ତାକୁ 1994ର ଉରୁଗୁଏ ପର୍ଯ୍ୟାୟ ଆଲୋଚନାର ମୂଳଭୂତ ରାଜିନାମାର କାର୍ଯ୍ୟକାରିତା ଯାଏଁ ଘୁଞ୍ଚାଇ ଦିଆଯାଇଥିଲା ।
ସେହିଭଳି ‘ଗ୍ରୀନ ରୁମ୍’ ପ୍ରକ୍ରିୟା ଅନ୍ତର୍ଗତ ବ୍ୟାପକ ଅଣଆନୁଷ୍ଠାନିକ କଥାବାର୍ତା ଫଳରେ ହିଁ ଡବ୍ଲୁଟିଓରେ ବାଣିଜ୍ୟ ବ୍ୟବସ୍ଥା ନିୟମ ନେଇ ସହମତି ହୋଇପାରିଥିଲା । 1996ରୁ 2003 ମସିହା ମଧ୍ୟରେ ଡବ୍ଲୁଟିଓ ମନ୍ତ୍ରିସ୍ତରୀୟ ସମ୍ମିଳନୀର ଅଂଶ ବିଶେଷ ଥିଲା ଅନ୍ତର୍ଗତ ଗ୍ରୀନ ରୁମ୍ ପ୍ରକ୍ରିୟା କଥାବାର୍ତା ।
ଭାରତ ସର୍ବଦା ‘ଗ୍ରୀନ ରୁମ’ ପ୍ରକ୍ରିୟାର ସକ୍ରିୟ ସଦସ୍ୟ ରହିଆସିଛି । 2003 ଜାନୁଆରୀ ମାସରେ ହୋଇଥିବା ସହମତି ଅନୁସାରେ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରୁ ମହାନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନ ଆହ୍ବାନ ପାଇଁ ଡବ୍ଲୁଟିଓ ଜୁନ 8ରୁ ଜୁଲାଇ 8 ତାରିଖ ଯାଏଁ ମାସେ ସମୟ ରଖିଥିଲା । 2020 ଜୁଲାଇ 9 ତାରିଖ ସୁଦ୍ଧା ତିନି ମହିଳା ପ୍ରାର୍ଥୀ ( କେନିଆ, ନାଇଜେରିଆ ଓ ଦକ୍ଷିଣ କୋରିଆରୁ)ଙ୍କ ସତ 8ଟି ନାମାଙ୍କନ ଗ୍ରହଣ ହୋଇଛି ।
ଇଜିପ୍ଟ, ମେକ୍ସିକୋ, ମଲଡୋଭା, ସାଉଦି ଆରବ ଓ ବ୍ରିଟେନ ପକ୍ଷରୁ ମଧ୍ୟ ନାମାଙ୍କନ ଆସିଛି । ଏହି ମାସ 15ରୁ 17 ତାରିଖ ଯାଏଁ ଡବ୍ଲୁଟିଓ ସାଧାରଣ ପରିଷଦ 8ଟି ପ୍ରାର୍ଥୀଙ୍କ ସହ ଆଲୋଚନା କରି ନୂଆ ମହାନିର୍ଦ୍ଦେଶକ ପଦବୀ ଉପରେ ସହମତି ସୃଷ୍ଟି ପାଇଁ ଉଦ୍ୟମ କରିବ । ତେବେ, ବିଶ୍ବ ବାଣିଜ୍ୟ ସଂଗଠନ ସଚିବାଳୟର ନେତୃତ୍ବ ନେବା ପାଇଁ ସୁଯୋଗ ଥିଲେ ମଧ୍ୟ କାହିଁକି ଭାରତ ମହାନିର୍ଦ୍ଦେଶକ ପଦବୀ ପାଇଁ ପ୍ରାର୍ଥୀ ଦେଲା ନାହିଁ, ତାହା ବୁଝିହେଉନି ।
ତେବେ,ସାଂପ୍ରତିକ ଆନ୍ତର୍ଜାତିକ ପରିସ୍ଥିତି ଦୃଷ୍ଟିରୁ ସଦସ୍ୟରାଷ୍ଟ୍ରମାନଙ୍କ ଆଭିମୁଖ୍ୟ ଉପରେ ହିଁ ସଂଗଠନର ନୂଆ ଡିଜି ପାଇଁ ସହମତି ସୃଷ୍ଟି ନିର୍ଭର କରେ । ଏହାଛଡା ଡବ୍ଲୁଟିଓର ପ୍ରମୁଖ ବାଣିଜ୍ୟ ରାଷ୍ଟ୍ରଙ୍କ ସଂକୀର୍ଣ୍ଣ ଜାତୀୟ ସ୍ବାର୍ଥ ଉପରେ ବି ନୂଆ ଡିଜି ନେଇ ସହମତି ନିର୍ଭର କରିବ ।
ବିଶ୍ବ ବାଣିଜ୍ୟ ସଂଗଠନ ସଦସ୍ୟତାର ପ୍ରାସଙ୍ଗିକତା ରହିଛି । କାରଣ ସଂଗଠନର 164 ସଦସ୍ୟଙ୍କ ଆନ୍ତର୍ଜାତିକ ବାଣିଜ୍ୟର 98 ପ୍ରତିଶତ ଅବଦାନ ରହିଛି । ନିଜ ସଦସ୍ୟ ରାଷ୍ଟ୍ରଙ୍କୁ ଦୁଇଟି ପ୍ରମୁଖ ନୀତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ କରିଥାଏ ଡବ୍ଲୁଟିଓ । ତାହା ହେଲା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମଏଫଏନ) ଟ୍ରିଟମେଣ୍ଟ ଓ ନ୍ୟାସନାଲ ଟ୍ରିଟମେଣ୍ଟ ।
ଏସବୁ ନୀତି ଅନୁସାରେ ଡବ୍ଲୁଟିଓ ସଦସ୍ୟମାନେ ସେମାନଙ୍କ ବାଣିଜ୍ୟ ଭାଗିଦାରଙ୍କ ମଧ୍ୟରେ ଭେଦଭାବ କରିପାରିବେ ନାହିଁ ଓ ସେମାନଙ୍କ ବଜାରରେ ଉଭୟ ଆମଦାନୀ ଓ ସ୍ଥାନୀୟ ସାମଗ୍ରୀ ଓ ସେବାକୁ ସମାନ ଗୁରୁତ୍ବ ଦେବାକୁ ପଡିବ ।
ଡବ୍ଲୁଟିଓର ନୂଆ ଡିଜି ଏହି ଦୁଇ ନୀତି ପ୍ରତି କେମିତି ନିଷ୍ଠା ଦେଖାଇବେ, ତାହା ଉପରେ ଭାରତ ଭଳି ବିକାଶଶୀଳ ଦେଶର ନଜର ରହିବ । କାରଣ ପ୍ରମୁଖ ବଜାରଗୁଡିକରେ ସଂରକ୍ଷଣବାଦ ଭାବନା ବଢିବାରେ ଲାଗିଛି ।