କୋଲକାତ: ପଶ୍ଚିମବଙ୍ଗ ଏବେ ଆତଙ୍କୀସ୍ଥାନରେ ପରିଣତ ହେବାପରି ଲାଗୁଛି । ରାଜ୍ୟ ଏମିତି ଅବସ୍ଥାରେ ପହଞ୍ଚିଲାଣି ଯେ ଏଠାରେ କାଶ୍ମୀର ଠାରୁ ମଧ୍ୟ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଏମିତି କିଛି ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ।
କିଛିଦିନ ପୁର୍ବରୁ ଅଲିପୁର ଅଞ୍ଚଳରୁ 6 ଜଣ ଅଲ-କାଏଦା ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ରାଜ୍ୟର ଅନେକ ସ୍ଥାନରେ ଏକ ନେଟୱାର୍କ ଗଠନ କରାଯାଇଛି। ଏପରିକି ବାଂଲାଦେଶ ନେତା ଖାଲେଦା ଜିଆ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଭାରତରେ ତାଲିମ ଦିଆଯାଉଛି ଏବଂ ବାଂଲାଦେଶକୁ ପଠାଯାଇଛି। ଏହି ରାଜ୍ୟ ଆତଙ୍କବାଦୀ ତଥା ନାଗରିକ ବିରୋଧୀ କେନ୍ଦ୍ରରେ ପରିଣତ ହୋଇଛି। ସେମାନେ ଅନ୍ୟ ସ୍ଥାନରୁ ଏଠାକୁ ଆସୁଛନ୍ତି ଏବଂ ଆଶ୍ରୟ ନେଉଛନ୍ତି। ବର୍ତ୍ତମାନ କାଶ୍ମୀର ଅପେକ୍ଷା ପଶ୍ଚିମବଙ୍ଗରେ ଅବସ୍ଥା ଆହୁରି ଖରାପ ବୋଲି ବିଜେପି ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଘୋଷ ଅଭିଯୋଗ କରିଛନ୍ତି। ରବିବାର ପଶ୍ଚିମବଙ୍ଗର ଚବିସ ପ୍ରଗଣାରେ ଏକ କାର୍ଯ୍ୟକ୍ରମ ଅବସରରେ ସେ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବଙ୍ଗବାସୀ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏପରିକି ତାଙ୍କ ନାମ ଦେଶ ବିରୋଧୀ ଦଳର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ରୋହିଙ୍ଗ୍ୟା ମୁସଲମାନମାନଙ୍କ ଦ୍ବାରା ତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି । ଆଲିପୁରଦାର ଜିଲ୍ଲାର ଜୟଗାଓଁରେ ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଯଦି ସେଦିନ ଘଟଣାର ଭିଡିଓକୁ ତର୍ଜମା କରାଯିବ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ମଧ୍ୟ ଦାବି କରିଛନ୍ତି ।