ମୁମ୍ବାଇ: ପ୍ଲାଷ୍ଟିକ ବୋତଲରୁ ସ୍ବପ୍ନର ଘର । ସିମେଣ୍ଟ ଇଟାରେ ଘର ତିଆରି ହେବା ସାଧାରଣ କଥା । ହେଲେ ଭାବିଲେ ଘର ତିଆରି ହେବ ସେପୁଣି ଅଦରକାରୀ ପ୍ଲାଷ୍ଟିକ ବୋତଲରୁ । ହଁ ଆଜ୍ଞା, ପ୍ଲାଷ୍ଟିକ ବୋତଲରୁ ଘର ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାରାଷ୍ଟ୍ର ଅମରାବତୀର ଜଣେ ଯୁବକ । ସେ ଘର ତିଆରି କରିଛନ୍ତି ଏକକ ବ୍ୟବହୃତ ପ୍ଲାଷ୍ଟିକ ବୋତଲରୁ । ଯାହା କି ପରିବେଶ ଉପଯୋଗୀ ।
ପ୍ଲାଷ୍ଟିକ ବୋତଲରୁ ନୂଆ ସମ୍ଭାବନା । ଅଦରକାରୀ ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହେଉଛି ଘର । ବୋତଲରେ ଏପରି ନିଆରା କାରିଗରୀ କରୁଛନ୍ତି ମହାରାଷ୍ଟ୍ର ଅମରାବତୀର ନୀତିନ ଉଜଗାଁଓକର ନାମକ ଯୁବକ । ସେ ଘର ନିର୍ମାଣ ପାଇଁ ପ୍ରାୟ 20 ହଜାରରୁ ଊର୍ଦ୍ଧ୍ବ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଛନ୍ତି । ବର୍ତ୍ତମାନ ସମୟରେ ସାରା ବିଶ୍ବ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତିତ ଥିବାବେଳେ ବୋତଲରୁ ଏଭଳି ନୂତନ ସମ୍ଭାବନା ସୃଷ୍ଟି କରି ଚର୍ଚ୍ଚାରେ ନୀତିନ । ଆଇନରେ ସ୍ନାତକୋତ୍ତର ପରେ ନୀତିନ କନଷ୍ଟ୍ରକସନ୍ ବ୍ୟବସାୟରେ ମନ ବଳାଇଥିଲେ । ଆଉ ନିର୍ମାଣ କ୍ଷେତ୍ରରେ କିଛି ନୂଆ କରିବାର ଝୁଙ୍କ ତାଙ୍କୁ ବାରମ୍ବାର ଆନ୍ଦୋଳିତ କରୁଥିବା କୁହନ୍ତି ନୀତିନ ।