ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଜିତିବା ପାଇଁ ଅଣ୍ଟା ଭିଡିଛନ୍ତି ଦେଶର ସମସ୍ତ ରାଜନୈତିକ ଦଳ । ନିଜର ସମସ୍ତ ଶକ୍ତି ଲଗାଇ ଦେଉଛନ୍ତି ନିର୍ବାଚନରେ । ଜନତାଙ୍କୁ ନିଜ ଆଡକୁ ଆକୃଷ୍ଠ କରିବା ପାଇଁ ଦେଉଛନ୍ତି ବିଭିନ୍ନ ପ୍ରକାରର ପ୍ରତିଶୃତି । ଜିତିଲେ କିଏ ଚାକିରି ଦେବ କହୁଛି ତ ଆଉ କିଏ ଟଙ୍କା । କିନ୍ତୁ ଉତ୍ତର ପୂର୍ବ ଦିଲ୍ଲୀର ଲୋକସଭା ଆସନରୁ ସାଞ୍ଝୀ ବିରାସତ ଦଳର ପ୍ରାର୍ଥୀ ଅମିତ ଶର୍ମା ଭିନ୍ନ ଢଙ୍ଗରେ ପ୍ରଲୋଭନ ଦେଖାଇ ଭୋଟରଙ୍କୁ ଆକୃଷ୍ଟ କରୁଥିବା ନଜର ଆସିଛନ୍ତି ।
ନିର୍ବାଚନ ଜିତିଲେ ମିଳିବ ମାଗଣା ଛେଳି
2019 ନିର୍ବାଚନ ବାଜି ଜିତିଲେ ପ୍ରତି ମୁସଲିମ ପରିବାରକୁ ଇଦ୍ ସମୟରେ ମିଳିବ ମାଗଣାରେ ଗୋଟିଏ ଲେଖାଏଁ ଛେଳି । ସେହିପରି ହାଫରେଟରେ ମଦ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛି ସାଞ୍ଝୀ ବିରାସତ ଦଳ ।
ସେ ଜିତିଲେ ପ୍ରତି ମୁସଲିମ ପରିବାରକୁ ଇଦ୍ ସମୟରେ ଗୋଟିଏ ଲେଖାଏଁ ଛେଳି ମାଗଣାରେ ଦେବା ସହ ହାଫରେଟରେ ମଦ ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହା ବ୍ୟତିତ ମହିଳାମାନଙ୍କୁ ମାଗଣାରେ ସୁନା ଦିଆଯିବ ବୋଲି ସାଞ୍ଝୀ ବିରାସତ ଦଳ ନିଜ ଘୋଷଣା ପତ୍ରରେ ଉଲ୍ଲେଖ କରିଛି ।
ତେବେ ତାଙ୍କ ପ୍ରତିଶୃତି ଏତିକିରେ ସରିଯାଇ ନାହିଁ । ତାଙ୍କ ଘୋଷଣା ପତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ରହିଛି ସ୍ବତନ୍ତ୍ର ସୁବିଧା । ସେମାନଙ୍କୁ ପିଏଚଡି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ମେଟ୍ରୋ ଓ ବସ୍ରେ ମାଗଣା ଯାତ୍ରା କରିବାର ସୁବିଧା ମିଳିବ । ଘରୋଇ ସ୍କୁଲରେ ମାଗଣା ଶିକ୍ଷା ପ୍ରଦାନ କରାଯିବ । ଲୋକଙ୍କୁ ରାସନ ସାମଗ୍ରୀ ମାଗଣାରେ ଯୋଗାଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛି ଦଳ। ଏହା ସହିତ କନ୍ୟା ସନ୍ତାନ ଜନ୍ମ ହେଲେ ୫୦ ହଜାର ଏବଂ ବିବାହ ସମୟରେ ଅଢ଼େଇ ଲକ୍ଷ ଟଙ୍କା ଦିଆଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।