ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦବୀ ନିଯୁକ୍ତି ମାମଲାରେ ବଡ ନିଷ୍ପତ୍ତି । 69 ହଜାର ସହକାରୀ ଶିକ୍ଷକ ନିଯୁକ୍ତି ମାମଲାରେ ମଙ୍ଗଳବାର ଶିକ୍ଷାମିତ୍ରଙ୍କ ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହି ଶୁଣାଣିରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ 37,339 ପଦବୀକୁ ହୋଲ୍ଡ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୌଳିକ ଶିକ୍ଷା ପରିଷଦ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ହାଇକୋର୍ଟଙ୍କ କଟ୍ ଅଫ୍ ମାର୍କକୁ ନେଇ ଦିଆଯାଇଥିବା ନିଷ୍ପତ୍ତି ବିରୋଧରେ ଶିକ୍ଷାମିତ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ଶିକ୍ଷାମିତ୍ରଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଉପରକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଲିଖିତ ପରୀକ୍ଷାର ଦେଢ ବର୍ଷ ପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ, ସରକାରଙ୍କ କଟ୍ ଅଫ୍ ମାର୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିଛନ୍ତି । 65 ଏବଂ 60 ପ୍ରତିଶତ ମାର୍କ ସହିତ ଫଳାଫଳ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଶିକ୍ଷାମିତ୍ରଙ୍କ ଦାବି ଥିଲା ଯେ ନିଯୁକ୍ତି ପାଇଁ ନୋଟିସରେ କଟ୍ ଅଫ୍ ମାର୍କ ଉଲ୍ଲେଖ କରାଯାଇ ନଥିଲା । ତେଣୁ ଚୟନ ପ୍ରକ୍ରିୟା 45 ଏବଂ 40 ପ୍ରତିଶତ ମାର୍କ ଉପରେ ହେବା ଉଚିତ୍ ।