ପାଟନା: ବିହାରର ମୁଜାଫରପୁର ଜିଲ୍ଲାରେ ବିଶ୍ବକର୍ମା ପୁଜା ଭୋଗ ଖାଇ ପାଖାପାଖି 65 ଜଣ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ଜିଲ୍ଲାର ବିଶୁନପୁର ପଞ୍ଚାୟତର ବୁଢାନପୁର ଗ୍ରାମରେ । ବୁଧବାର 10 ଏବଂ ଗୁରୁବାର 35 ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ସହିତ ଗ୍ରାମରେ ଏକ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଗ୍ରାମର କିଛି ସ୍ଥାନରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ତେବେ ଗ୍ରାମବାସୀ ଉକ୍ତ ପୂଜାରେ ପ୍ରସ୍ତୁତ ହୋଇଥିବା ଭୋଗକୁ ଖାଇଥିଲେ । ମାତ୍ର ଭୋଗ ଖାଇବାର କିଛି ଘଣ୍ଟା ପରେ ସମସ୍ତେ ଫୁଡ଼ ପଏଜନିଂର ଶୀକାର ହୋଇଥିଲେ । ଆରମ୍ଭରୁ ପେଟ କାଟିବା, ବାନ୍ତି ହୋଇଥିଲା ବୋଲି ରୋଗୀଙ୍କ ସମ୍ପର୍କୀୟ ପ୍ରକାଶ କରିଥିଲେ । ତେବେ ସମସ୍ତଙ୍କୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ମାତ୍ର କିଛି ଗୁରୁତରଙ୍କୁ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କର ଚିକିତ୍ସା ଗ୍ରାମରେ ଏକ ଡାକ୍ତରୀ ଟିମ ଦ୍ୱାରା କରାଯାଉଛି। ଏନେଇ ଚିକିତ୍ସା ଅଧିକାରୀ ଡା. ମଣିଶଙ୍କର ଚୌଧୁରୀ କହିଛନ୍ତି ଯେ, ସେମାନେ ସମସ୍ତେ ଫୁଡ ପଏଜନିଂର ଶୀକାର ହୋଇଛନ୍ତି। ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ସମସ୍ତେ ବିପଦମୁକ୍ତ ଅଛନ୍ତି। ସେହିଭଳି ଅନ୍ୟ ଜଣେ ଚିକିତ୍ସା ଅଧିକାରୀ ଉମେଶ ଚନ୍ଦ୍ର ଶର୍ମା କହିଛନ୍ତି ଶୁକ୍ରବାର ଏକ ଡାକ୍ତରୀ ଟିମ ଗ୍ରାମକୁ ଯାଇ ରୋଗୀଙ୍କ ଚିକିତ୍ସା ଜାରି ରଖିଛି।
ସେହିଭଳି ସିଭିଲ ସର୍ଜନ ଡା. ଏସପି ସିଂ କହିଛନ୍ତି ଯେ ଫୁଡ଼ ପଏଜନିଂ କାରଣରୁ 35 ଜଣ ରୋଗୀ ପିଏଚସିରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ 7 ଜଣ ଛୋଟ ଛୁଆ ରହିଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ଏବଂ ସମସ୍ତେ ବିପଦମୁକ୍ତ ଥିବା ସେ ଜଣାଇଛନ୍ତି। ସେହିଭଳି ଗ୍ରାମରେ ମଧ୍ୟ କିଛି ଲୋକଙ୍କ ଚିକିତ୍ସା ଜାରି ରହିଛି । ସେ ନିଜେ ଗ୍ରାମକୁ ଯାଇ ଏ ଦିଗରେ ଅନୁଧ୍ୟାନ କରୁଛନ୍ତି ବୋଲି ଏସପି ସିଂ କହିଛନ୍ତି।