ନୂଆଦିଲ୍ଲୀ: ଖେଳୁ ଖେଳୁ ଅଘଟଣ । 100 ଫୁଟ ଗଭୀର ବୋରୱେଲ ଭିତରେ ଖସିପଡିଛି 5 ବର୍ଷର ପୁଅ । ଘଟଣାଟି ଉତ୍ତର ପ୍ରଦେଶର ମଥୁରାରେ ଘଟିଥିବା ଖବର ମିଳିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନିଶ୍ୱାସ ନେବାରେ ଯେପରି ଅସୁବିଧା ନ ହେବ ସେଥିଲାଗି ବୋରୱେଲ ଭିତରକୁ ଅକ୍ସିଜେନ ପାଇପ ପଠାଯାଇଛି ।
ଶିଶୁଟି ବୋରୱେଲରେ ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି । ସମସ୍ତେ ମିଶି ଶିଶୁଟିକୁ ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି ।
ପ୍ରକାଶ ଥାଉ ଯେ, ମଥୁରା ଅଗରିୟାଲା ଗାଁରେ ରହୁଥିବା ଦୟାରାମଙ୍କ 5 ବର୍ଷର ପୁଅ ପ୍ରବୀଣ । ଶନିବାର ସେ ତା ସାଙ୍ଗଙ୍କ ସହ ଖେଳୁଥିଲା । ସେହିସମୟରେ ହଠାତ ବୋରୱେଲ ଭିତକୁ ଗଳିପଡିଥିଲା ପ୍ରବୀଣ । ଏ ନେଇ ଖବର ପାଇବା ପରେ ସ୍ଥାନୀୟ ଲୋକେ ଶେରଗଢ ପୋଲିସକୁ ସୂଚନା ଦେଇଥିଲେ ।
ଏବେ ସୁ୍ଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶିଶୁଟିକୁ ବାହାରକୁ ଆଣିବାକୁ ଜେସିବିରେ ମାଟି ଖୋଳାଯାଉଛି । ଏଥିସହ ଭାରତୀୟ ସେନାଙ୍କ ସହାୟତା ଲୋଡିଛି ଉଦ୍ଧାରକାରୀ ଦଳ ।
ଦିନକୁ ଦିନ ଅସୁରକ୍ଷିତ ହେବାକୁ ଲାଗିଛି ଉତ୍ତରପ୍ରଦେଶ ! ଗତ କିଛି ଦିନ ତଳେ ଫାରୁଖନଗରରେ ଗୋଟିଏ ଦେଢ ବର୍ଷର ଛୁଆ 60 ଫୁଟ ଗଭୀର ବୋରୱେଲରେ ପଡିଯାଇଥିଲା । ପରେ 48 ଘଣ୍ଟାର କଠିନ ପରିଶ୍ରମ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।