ନୂଆଦିଲ୍ଲୀ: ଇତିହାସରେ ସବୁଠାରୁ ବଡ ବିଧ୍ବଂସକାରୀ ସିରିଜ ବୋମା ବିସ୍ଫୋରଣ ଶିକାର ହୋଇଛି ଶ୍ରୀଲଙ୍କା । ରବିବାର ଠାରୁ ଦେଶସାରା କ୍ରମାଗତ ବିସ୍ଫୋରଣର ଘଟଣା ସାମ୍ନାକୁ ଆସିଛି । ବର୍ତ୍ତମାନ ଯାଏ ଶ୍ରୀଲଙ୍କାରେ ୯ଟି ବୋମା ବିସ୍ଫୋରଣ ଘଟି ସାରିଛି । ଏହି ବିସ୍ଫୋରଣରେ ଜନତା ଦଳ ସେକୁଲାର(ଜେଡିଏସ)ର ୭ଜଣ କାର୍ଯ୍ୟକର୍ତ୍ତା ନିଖୋଜ ଥିବାର ଖବର ମିଳିଥିଲା । ବର୍ତ୍ତମାନ ଖବର ଆସିଛି ଯେ ଏମାନଙ୍କ ମଧ୍ୟରୁ ୪ ଜଣ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଯାଇଛି ।
ଶ୍ରୀଲଙ୍କା ସିରିଜ ବିସ୍ଫୋରଣରେ ଆଖି ବୁଜିଲେ ୪ ଜେଡିଏସ ନେତା - killed
ଶ୍ରୀଲଙ୍କା ବିସ୍ଫୋରଣରେ ଜନତା ଦଳ ସେକୁଲାର(ଜେଡିଏସ)ର ୭ଜଣ କାର୍ଯ୍ୟକର୍ତ୍ତା ନିଖୋଜ ଥିବାର ଖବର ମିଳିଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ ୪ଜଣ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜେଡିଏସର ଲକ୍ଷ୍ମଣା ଗୌଡା ରମେଶ, କେଏମ ଲକ୍ଷ୍ମୀନାରାୟଣ, ଏମ ରାଙ୍ଗାପ୍ପା ଓ କେଜି ହନୁମାନଥାରାପ୍ପାଙ୍କ ମୃତ୍ୟୁ ହୋଇଯାଇଛି । ଏମାନେ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ ।
ଏହି ଜଘନ୍ୟ ଆକ୍ରମଣରେ ସେମାନଙ୍କୁ ହରାଇ ମୁଁ ଅତ୍ୟନ୍ତ ଦୁଃଖିତ । ସେମାନେ ଦଳର ଅତ୍ୟନ୍ତ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଥିଲେ । ଏହାସହ ଦଳର ଅନ୍ୟ ତିନି କାର୍ଯ୍ୟକର୍ତ୍ତା ଏଚ ଶିବ କୁମାର, ଏ ମାରେଗୋଡା ଓ ଏଚ ପୁଟ୍ଟାରାଜ ନିଖୋଜ ଅଛନ୍ତି ବୋଲି କୁମାରସ୍ବାମୀ କହିଛନ୍ତି ।