2020ର ଗୁରୁତ୍ବପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଲଗାତର ଚତୁର୍ଥ ଥର ପାଇଁ ରାଜ୍ୟ ସରକାରଙ୍କ ନେତୃତ୍ବ ନେବାକୁ ଉଦ୍ୟମରତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଗରେ ବହୁବିଧ ସମସ୍ୟା ଓ ଆହ୍ବାନ ରହିଥିବା ଭଳି ମନେ ହେଉଛି । ଆର୍ଜେଡି, କଂଗ୍ରେସ, ସିପିଆଇ (ଏମ୍ଏଲ),ସିପିଆଇ (ଏମ) ଏବଂ ସିପିଆଇର ମିଳିତ ବିରୋଧୀ ମେଣ୍ଟ ତୁଳନାରେ ତାଙ୍କର ପୂର୍ବତନ ଏନ୍ଡିଏ ଅଂଶୀଦାର ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ହିଁ କୁମାରଙ୍କ ଜେଡି(ୟୁ) ପାଇଁ ଅଧିକ ସଂକଟ ସୃଷ୍ଟି କରିଛି ।
ଯଦିଓ ଉଭୟ ଜେଡିୟୁ ଏବଂ ଏଲ୍ଜେପି, ବିଜେପି ସହ ସେମାନଙ୍କର ମେଣ୍ଟ ବଜାୟ ରଖିଛନ୍ତି, ତଥାପି, ବର୍ତ୍ତମାନର ଏଲ୍ଜେପି ସୁପ୍ରିମୋ ଚିରାଗ ପାଶୱାନ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ଦଳ ବିଜେପି ବିରୋଧରେ ନୁହେଁ, କେବଳ ଜେଡିୟୁ ବିରୋଧରେ ପ୍ରାର୍ଥୀ ଠିଆ କରାଇବ । ପାରମ୍ପରିକ ଭାବେ ଜାତିଭିତ୍ତିକ ରାଜନୀତିର ଆଧିପତ୍ୟ ରହିଥିବା ବିହାରରେ ଦଳିତମାନଙ୍କ ଭୋଟ ହାସଲ କରିବା ସକାଶେ ନୀତିଶ କୁମାର ଏକ ପୃଥକ୍ ‘ମହାଦଳିତ’ କ୍ଷେତ୍ର ଗଠନ କରିଛନ୍ତି । ହେଲେ ଏଲ୍ଜେପିର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ଆକସ୍ମିକ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶକ୍ତ ଆଘାତ ସଦୃଶ ହୋଇଛି । ଅସବର୍ଣ୍ଣ ଜାତିର ପାଶୱାନଙ୍କ ବିୟୋଗ ପରେ ତଜ୍ଜନିତ ଅନୁକମ୍ପା ଲହରି ଜେଡିୟୁର ଦଳିତ ସମର୍ଥକମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ ଏବଂ ଏହି ହାୱା ଏଲ୍ଜେପି ସପକ୍ଷରେ ଯିବ ବୋଲି ଆକଳନ କରାଯାଉଛି । ଏହି ବିଭାଜନ ଯୋଗୁଁ ହୁଏତ ଏଲ୍ଜେପି କିମ୍ବା ମିଳିତ ବିରୋଧୀ ମେଣ୍ଟ ଫାଇଦାରେ ରହିବ । ଜେଡିୟୁ ଏବଂ ଏଲ୍ଜେପିର ସମର୍ଥନକାରୀ ଦଳିତମାନଙ୍କ ମଧ୍ୟରେ ବିଭାଜନ ହେଲେ ଏହାର ଫାଇଦା ବିରୋଧୀ ମିଳିତ ମେଣ୍ଟକୁ ମିଳିବ ବୋଲି ସେମାନେ ମଧ୍ୟ ଆଶା କରୁଛନ୍ତି ।
କୁମାରଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିବା ଦ୍ବିତୀୟ କାରଣଟି ହେଉଛି ଯେ, ତାଙ୍କ ଦଳରେ ରାଜପୁତ ସଂପ୍ରଦାୟର କୌଣସି ବିଶ୍ବସନୀୟ ଚେହେରା ନାହିଁ । ବାସ୍ତବରେ ବିଜେପି ପାଇଁ ମଧ୍ୟ ବିହାରରେ ଏହି ସମାନ ସମସ୍ୟା ବିଦ୍ୟମାନ । କାରଣ, ବିହାରର 243ଟି ବିଧାନସଭା ଆସନରୁ 45ଟିରେ ରାଜପୁତ ଭୋଟ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ । ଅନ୍ୟପକ୍ଷରେ, ଆରଜେଡି ପାଖରେ ଜଗଦାନନ୍ଦ ସିଂହଙ୍କ ଭଳି ଖୁବ୍ ଗ୍ରହଣଯୋଗ୍ୟ ରାଜପୁତ ନେତା ରହିଛନ୍ତି । ଯଦିଓ, ଆର୍ଜେଡିର ପୂର୍ବତନ ସର୍ବାଧିକ ଲୋକପ୍ରିୟ ରାଜପୁତ ନେତା ସ୍ବର୍ଗତ ରଘୁବଂଶ ପ୍ରସାଦ ସିଂହଙ୍କ ବଡ଼ପୁଅ ସତ୍ୟ ପ୍ରକାଶ ସିଂହ ନିକଟରେ ଜେଡିୟୁରେ ଯୋଗ ଦେଇଛନ୍ତି, ତାଥାପି ତାଙ୍କ ଭାବମୂର୍ତ୍ତି ବଳରେ ରାଜପୁତମାନଙ୍କ ଭୋଟ ହାସଲ କରିବାରେ ନୀତିଶ କୁମାର କେତେ ଦୂର ସମର୍ଥ ହେବେ ତାହା ଏତେ ଶୀଘ୍ର କହିହେବ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି, ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ରାଜ୍ୟର ଆର୍ଥିକ ସ୍ଥିତି, ଶିଳ୍ପ ସଂସ୍ଥାମାନଙ୍କର ଦୁର୍ଦ୍ଦଶା ଏବଂ ନିଯୁକ୍ତି ସୁଯୋଗର ଅଭାବ । ଯାହାକୁ କି ସବୁ ବିରୋଧୀ ଦଳ, ବିଶେଷତଃ ଆର୍ଜେଡି, ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛି । ଆର୍ଜେଡି ନେତା ଏବଂ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ପ୍ରସାଦ ଯାଦବ ତାଙ୍କର ସମସ୍ତ ନିର୍ବାଚନୀ ପ୍ରଚାରରେ, ସାରା ଦେଶରେ ବିହାରର ବେକାରି ହାର ହିଁ ସର୍ବାଧିକ 46.6% ରହିଥିବା କଥାକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଉଠାଇଛନ୍ତି । ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ନ କରି ନୀତିଶ କୁମାର ଲୋକଙ୍କୁ ରାଜ୍ୟ ଛାଡ଼ି ବାହାରକୁ ଚାଲିଯିବା ଲାଗି ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ କରିବା ସହିତ ମିଳିତ ବିରୋଧୀ ମେଣ୍ଟ ଏଥର କ୍ଷମତାକୁ ଆସିଲେ 10 ଲକ୍ଷ ସରକାରୀ ଚାକିରି ଦେବ ବୋଲି ତେଜସ୍ବୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିହାର ସରକାରଙ୍କ ମଦ କାରବାର ବନ୍ଦ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି ଏବଂ ଏହା ଫଳରେ ସରକାର ଯେ କେବଳ ରାଜସ୍ବ ହରାଇ ବିଷମ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ତାହା ନୁହେଁ, ବରଂ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର କାର୍ଯ୍ୟତଃ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ବହୁସଂଖ୍ୟକ ହୋଟେଲ ବନ୍ଦ ହୋଇଯିବା କାରଣରୁ ହଜାର ହଜାର ଲୋକ ନିଯୁକ୍ତି ହରାଇଛନ୍ତି ବୋଲି କୁହାଯାଇଛି ।