ଭୋପାଳ: ମେ 12 ତାରିଖ ରବିବାର ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ସେଦିନ 7ଟି ରାଜ୍ୟର 59ଟି ସଂସଦୀୟ କ୍ଷେତ୍ର ପାଇଁ ହେବ ଭୋଟଗ୍ରହଣ । ଯାହା ମଧ୍ୟରେ ଭୋପାଳ ଲୋକସଭା ଆସନ ଅନ୍ୟତମ । ନିର୍ବାଚନୀ ମୁଦ୍ଦା ନୁହେଁ ହିନ୍ଦୁତ୍ବ ପ୍ରସଙ୍ଗକୁ ନେଇ ଏଥର ଏହି ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିବି ହାଇଭୋଲଟେଜ ମୁକବିଲା ।
ହିନ୍ଦୁତ୍ବବାଦକୁ ନେଇ ଏବେ ସରଗରମ ରହିଛି ଏଠାକାର ରାଜନୀତି । ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀ ନିଜକୁ ହିନ୍ଦୁ ବୋଲି ପରିଚୟ ଦେବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ଜନତା ଜନାର୍ଦ୍ଦନ ଆଶୀର୍ବାଦ ପାଇବା ପାଇଁ କିଏ ପୂଜା ପାଠରେ ମାତି ଯାଇଛି ତ, କିଏ ରୋଡ ଶୋ କିମ୍ବା ଦଳୀୟ ପ୍ରଚାରକୁ ଜୋରଦାର କରିଛି ।
ଭାରତୀୟ ଜନମାନସକୁ ହିନ୍ଦୁ ଆତଙ୍କବାଦ ଭଳି ଶବ୍ଦ ସହ ପରିଚିତ କରାଇଥିବା ଏବଂ ନିଜର ବୟାନବାଜିକୁ ନେଇ ସବୁବେଳେ ବିବାଦ ଘେରରେ ରହୁଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ । ଦିଗି ରାଜା ନାମରେ ଜଣାଶୁଣା ସେ । ଗତବର୍ଷ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ତାଙ୍କୁ ଦଳରେ ଏକ ପ୍ରକାର କୋଣାଠେସା ଅବସ୍ଥାରେ ରଖି ଦିଆଯାଇଥିଲା । ମାତ୍ର 2019 ଲୋକସଭା ନିର୍ବାଚନରେ ଦିଗବଜୟଙ୍କୁ ପ୍ରାର୍ଥୀ କରିଛି ଦଳ ।