ହାଇଦ୍ରାବାଦ: 'ଫନି' ବାତ୍ୟାରେ ଉଜୁଡି ଯାଇଛି ସାରା ରାଜ୍ୟ । ବାତ୍ୟା ଯିବାର ତିନି ଦିନ ହେଲାଣି ହେଲେ ଏହାପରର ଦୃଶ୍ୟ ଅନ୍ଧକାରମୟ । ଦିନ ଯେତେ ବଢୁଛି ସମସ୍ୟା ସେତେ କାୟା ବିସ୍ତାର କରୁଛି । ପାଣି ପରେ ବିଜୁଳି ସଙ୍କଟରେ ହନ୍ତସନ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳ । ବିଦ୍ୟୁତ ଭିତ୍ତିଭୂମି ସଜାଡିବା ଏବେ କାଠିକର ପାଠ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ କୁଶଳୀ କାରିଗର ଆବଶ୍ୟକ ହୋଇ ପଡିଛନ୍ତି । ମାତ୍ର ଏବେ ଏଥିପାଇଁ ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ନିର୍ଭର କରିବାକୁ ପଡୁଛି । ତେଲେଙ୍ଗାନା ସରକାର 1000 କୁଶଳୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଓଡିଶା ପଠାଇ ବଢାଇଛନ୍ତି ସାହାଯ୍ୟର ହାତ ।
ବିଦ୍ୟୁତ ଯୋଗାଣ ପାଇଁ ଆବଶ୍ୟକୀୟ କର୍ମଚାରୀ ଓଡିଶାରେ ଉପଲବ୍ଧ ନାହାଁନ୍ତି । ଖାସ୍ ଏଥିପାଇଁ ଓଡିଶା ସରକାର ତେଲେଙ୍ଗାନା ସରକାରଙ୍କୁ ବିଦ୍ୟୁତ କର୍ମଚାରୀଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ପୁରୀ, ଭୁବନେଶ୍ବର, କଟକରେ ଏବେ ବି ବିଦ୍ୟୁତ ଅଚଳାବସ୍ଥା ଜାରି ରହିଛି । ଏସବୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ସଜାଡିବା, ନୂତନ ବିଦ୍ୟୁତ ଖୁଣ୍ଟି ସ୍ଥାପନ କରିବା ପାଇଁ ତେଲେଙ୍ଗାନାରୁ 1000 କୁଶଳୀ ଓ ଅଭିଜ୍ଞ ସମ୍ପର୍ଣ୍ଣ ବିଦ୍ୟୁତ ବିଭାଗର କର୍ମଚାରୀ ଓଡିଶା ଆସୁଛନ୍ତି ।