ଲକ୍ଷ୍ନୌ:ସ୍କଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ନିର୍ଯାତନା । ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଜାରି ରହିଥିବା ବେଳେ ଜଣେ ଅନୁସୂଚୀତ ଜାତିର ଭିନ୍ନକ୍ଷମ ଛାତ୍ରୀ ଖାଦ୍ୟ ପାତ୍ରକୁ ଛୁଇଁ ଦେବାରୁ ରାଗରେ ନିୟନ୍ତ୍ରଣ ହରାଇ ବସିଲେ ପ୍ରଧାନ ଶିକ୍ଷକ । ଛାତ୍ରୀଙ୍କ ହାତରେ ଗରମ ଡାଲି ଢାଳି ଦେଲେ ପ୍ରଧାନ ଶିକ୍ଷକ । ନିକଟରେ ଉତ୍ତର ପ୍ରଦେଶର ବାରବାଙ୍କୀରେ ଘଟିଥିବା ଏହି ଚାଞ୍ଚଲ୍ୟ ସୃଷ୍ଟିକାରୀ ଘଟଣାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ । ସମ୍ପୃକ୍ତ ପ୍ରଧନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଏହି ଘଟଣାଟି ଅଗଷ୍ଟ 29 ରେ, ବାରବାଙ୍କୀ ଅଧୀନ ଇକୋଲି ପ୍ରାଥମିକ ବିଦ୍ୟାଳୟରେ ଘଟିଥିଲା । ପ୍ରଧାନ ଶିକ୍ଷକଙ୍କ ରୋଷର ଶିକାର ହୋଇଥିବା ଛାତ୍ରୀଜଣଙ୍କ ଜଣେ ଦିବ୍ୟାଙ୍ଗ ଓ ସେ ଦ୍ବିତୀୟ ଶ୍ରେଣୀରେ ପାଠ ପଢନ୍ତି । ତାଙ୍କର ଏକ ହାତ ମଧ୍ୟ ନାହିଁ । ତେବେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଜାରି ରହିଥିଲା ବେଳେ ଏହି ଛାତ୍ରୀଜଣଙ୍କ ଭୁଲରେ ଏକ ଖାଦ୍ୟପାତ୍ରକୁ ଛୁଇଁ ଦେଇଥିଲେ । ଏଥିରେ ଉତ୍ତେଜିତ ହୋଇ ପ୍ରଧାନ ଶିକ୍ଷକ ନିୟନ୍ତ୍ରଣ ହରାଇ ଶିଶୁଟିର ହାତକୁ ଗରମ ଡାଲି ଫିଙ୍ଗିଥିଲେ । ଏନେଇ ଜଣା ପଡିବା ପରେ ଶିଶୁଟିର ଅଭିବାବକ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା ।