ବାରଣାସୀ:ରକ୍ତଦାନ ମହାପୂଣ୍ୟ । ରକ୍ତଦାନକୁ ଇଶ୍ବରଙ୍କ ଆଦେଶ ଭାବେ ଗ୍ରହଣ କରାଯାଇଥାଏ । ରକ୍ତଦାନ ଜୀବନ ଦାନ କରିବା ସହ ସମାନ ହୋଇଥିବା କାରଣରୁ ଏହାକୁ ମହତ ଦାନ କୁହାଯାଏ । ତେବେ ଏହାର ସଠିକ ମହତ୍ତ୍ବ ବୁଝିଛନ୍ତି ବାରଣାସୀର ସୌରଭ ମୌର୍ଯ୍ୟ । ଯିଏକି ନିଜ ଜୀବନକାଳ ମଧ୍ୟରେ ଥରେ କି ଦୁଇଥର ନୁହେଁ ୧୩୭ ଥର ରକ୍ତଦାନ କରିଛନ୍ତି । ଏଭଳି ମହତ କାମ କରି ଅନେକଙ୍କ ଜୀବନ ବଞ୍ଚାଇଛନ୍ତି ।
୧୩୭ ଥର ରକ୍ତଦାନ କରି ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ବାରଣାସୀର ଲୋକମାନେ ତାଙ୍କୁ ବ୍ଳଡବ୍ୟାଙ୍କ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ବ ମହାମାରୀ ସମୟରେ ସୌରଭ ମହତ କାର୍ଯ୍ୟ ପାଇଁ ପ୍ରଧାମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ । ଏହା ସହ ସୌରଭ ନିଜ ମୃତ୍ୟୁ ପରେ ନିଜ ଶରୀରକୁ ମଧ୍ୟ ଦାନ କରିବେ ବୋଲି କହିଛନ୍ତି । ଏନେଇ ସୌରଭ କହିଛନ୍ତି ଯେ, "ମୁଁ ଗତ ୧୫ ବର୍ଷ ଧରି ରକ୍ତ ଦାନ କରିଆସୁଛି । ଏପର୍ଯ୍ୟନ୍ତ ୧୩୭ ଥର ରକ୍ତ ଦାନ କରିଛି । ରକ୍ତ କର୍କଟ ଭଳି ସାଂଘାତିକ ରୋଗରେ ପୀଡିତ ହୋଇଥିବା ବ୍ୟକ୍ତି 3 ଦିନ ମଧ୍ୟରେ ରକ୍ତ ଆବଶ୍ୟକ କରନ୍ତି । ଲୋକଙ୍କୁ ରକ୍ତଦାନ ବିଷୟରେ ଅବଗତ କରାଇବାର ଆବଶ୍ୟକତା ରହିଛି । ସାଧନା ଫାଉଣ୍ଡେସନ ସହିତ ମିଶି ଆମେ ଏପର୍ଯ୍ୟନ୍ତ 20 ହଜାର ୟୁନିଟ୍ ରକ୍ତ ଦାନ କରିଛୁ ।"