ନୂଆଦିଲ୍ଲୀ:ଦେଶରେ ଏବେ କୋଟି କୋଟି ମାମଲା ବିଭିନ୍ନ ଅଦାଲତରେ ପଡିରହିଛି । ଏବେ ସୁଦ୍ଧା ତଳସ୍ତରରୁ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ପ୍ରାୟ 5 କୋଟି ମାମଲା ପଡିରହିଛି । ବିଭିନ୍ନ କାରଣରୁ ଏହି ମାମଲାଗୁଡିକରେ ଶୁଣାଣି ଆଗେଇ ପାରୁନାହିଁ । ସେଗୁଡିକରୁ ସର୍ବୋଚ୍ଚ କୋର୍ଟରେ କେବଳ 70 ହଜାର ମାମଲାର ପଡିରହିଥିବା ଜଣାପଡିଛି । ଯାହା ଦେଶରେ ନ୍ୟାୟ ପ୍ରଦାନର ବିଳମ୍ବିତ ଚିତ୍ରକୁ ସ୍ପଷ୍ଟ ବୟାନ କରୁଛି । ଏକଥା କୌଣସି ଗଣମାଧ୍ୟମର ସର୍ଭେର ତଥ୍ୟ କହୁନାହିଁ, ବରଂ କୋର୍ଟ ପୋର୍ଟାଲରେ ଉପଲବ୍ଧ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ।
ସୁପ୍ରିମକୋର୍ଟର ଓ୍ବେବ ପୋର୍ଟାଲରେ ଅପଲୋଡ ହୋଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଜାନୁଆରୀ ପହିଲା ସୁଦ୍ଧା ମୋଟ 69,511 ମାମଲା ପଡିରହିଛି । ସେଥିମଧ୍ୟରୁ 50,275 ଶୁଣାଣି ପାଇଁ ଗ୍ରହଣଯୋଗ୍ୟ ମାମଲା ଅଛି । ସେଥିମଧ୍ୟରୁ 39,740 ମାମଲାରେ ସମସ୍ତ ପ୍ରାଥମିକ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି ଏବଂ ଏହୁ ସବୁ ମାମଲାର ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ସେହିପରି 10,535 ମାମଲା ଯାହାର ପ୍ରାଥମିକ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଅସମ୍ପୂର୍ଣ୍ଣ ରହିଛି । ତେଣୁ ଏହାକୁ ଶୁଣାଣି ପାଇଁ ସୂଚୀରେ ତାଲିକାଭୂକ୍ତ କରାଯାଇ ପାରୁନାହିଁ । ବିଭିନ୍ନ କାରଣ ପାଇଁ ଏହା ବିଳମ୍ବ ହେଉଥିବା ଜଣାପଡିଛି ।
ସେହିପରି ବିଚାରାଧୀନ ତାଲିକାରେ 19,236 ଟି ନିୟମିତ ମାମଲା ରହିଛି । ଏହି ମାମଲାଗୁଡିକର ଶୁଣାଣି ମଧ୍ୟ ଆଗେଇ ପାରୁନାହିଁ । ଏଥିମଧ୍ୟରୁ 19,201 ଟି ମାମଲାର ପ୍ରାଥମିକ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିବ । 35 ଟି ମାମଲା ଯାହାର ପ୍ରାଥମିକ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ତେଣୁ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିବ ନାହିଁ । ପରିସଂଖ୍ୟାନ ଆହୁରି ଦର୍ଶାଏ ଯେ 15.21 ପ୍ରତିଶତ ମାମଲାର ଯାହାର ପ୍ରାଥମିକ ପ୍ରକ୍ରିୟା ଏବେ ମଧ୍ୟ ଅସମ୍ପୂର୍ଣ୍ଣ ରହିବା କାରଣରୁ ଆଗକୁ ବଢିପାରୁନାହିଁ ।