ଲକ୍ଷ୍ନୌ:ଷ୍ଟେଜ ସୋ’ ବେଳେ ବେକାବୁ ହେଲା ଦର୍ଶକଙ୍କ ଭିଡ । ମଞ୍ଚରେ କଳା ପରିବେଷଣ ପାଇଁ ଆସିଥିବା କଳାକାରଙ୍କୁ କଲେ ଆକ୍ରମଣ । ଉଭୟ କଳାକାର ଓ ଦର୍ଶକଙ୍କ ଉପରେ ବର୍ଷିଲା ପଥର । ଉତ୍ତର ପ୍ରଦେଶ ବଲିଆରେ ଗତକାଲି (ସୋମବାର) ରାତିରେ ଲୋକପ୍ରିୟ ଭୋଜପୁରୀ କଣ୍ଠଶିଳ୍ପୀ ତଥା ଅଭିନେତା ପୱନ ସିଂଙ୍କ କାର୍ଯ୍ୟକ୍ରମରେ ଏପରି ଉତ୍ତେଜନା ଓ ହିଂସା ଦେଖିବାକୁ ମିଳିଛି । ଏଥିରେ ପଓ୍ବନଙ୍କ ସମେତ ଅନ୍ୟ କିଛି ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ବଳ ପ୍ରୟୋଗ କରି ଭିଡ ନିୟନ୍ତ୍ରଣ କରିଥିଲା । କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ ରଖି ଅଭିନେତା ପଓ୍ବନଙ୍କୁ ସୁରକ୍ଷିତ କାର୍ଯ୍ୟକ୍ରମସ୍ଥଳରୁ ବାହାର କରିବାକୁ ପଡିଥିଲା ।
ସୂଚନା ଅନୁସାରେ, ଗତକାଲି ରାତିରେ ବଲିଆ ଜିଲ୍ଲାର ନାଗ୍ରା ଅଞ୍ଚଳର ଏକ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଲୋକପ୍ରିୟ ଭୋଜପୁରୀ କଣ୍ଠଶିଳ୍ପୀ ତଥା ଅଭିନେତା ପଓ୍ବାନ ସିଂ କଳା ପ୍ରଦର୍ଶନ କରିବା ପାଇଁ ମଞ୍ଚରେ ଥିଲେ । ଏହି ସମୟରେ ମାତ୍ରାଧିକ ଦର୍ଶକଙ୍କ ଭିଡ ଫର୍ମମାଇସ ଗୀତକୁ ନେଇ ବେକାବୁ ହୋଇପଡିଥିଲେ । ମଞ୍ଜ ଉପରକୁ ପଥର ମାଡ କରିଥିଲେ । ମୁଖ୍ୟ କଳାକାର ପଓ୍ବନଙ୍କ ସହ ଏକାଧିକ ସହଯୋଗୀ କଳାକାର ମଧ୍ୟ ଆହତ ହୋଇଥିଲେ । ପଓ୍ବନଙ୍କ ମୁଁହରେ ଆଘାତ ଲାଗିଛି ।