ଓଡିଶା

odisha

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସୁରକ୍ଷାରେ ତ୍ରୁଟି, ବିହାରରେ କାରକେଡ ଉପରେ ଆକ୍ରମଣ

By

Published : Apr 9, 2023, 4:36 PM IST

ବିହାର ମୁଜାଫରପୁରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ କାରକେଡ ଉପରେ ଆକ୍ରମଣ । ଯୁବକ ଗିରଫ । କାରକେଡରେ ସାମିଲ ଗାଡି କ୍ଷତିଗ୍ରସ୍ତ ସୂଚନାକୁ ପୋଲିସର ଖଣ୍ଡନ । ଅଧିକ ପଢନ୍ତୁ

ବିହାରରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ କାଫିଲା ଉପରେ ଆକ୍ରମଣ
ବିହାରରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ କାଫିଲା ଉପରେ ଆକ୍ରମଣ

ପାଟନା:ବିହାର ଗସ୍ତରେ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ କାରକେଡ ଉପରେ ମୁଜାଫରପୁରରେ ଆକ୍ରମଣ ହୋଇଛି । ଗତକାଲି (ଶନିବାର) ସଂଧ୍ୟାରେ ମୋତିହାରିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜଧାନୀ ପାଟନା ଫେରୁଥିବା ବେଳେ ଦେବରିଆ ଥାନା ଅଧୀନ ବିଶୁନପୁରେ ଚୌକ ନିକଟରେ କେନ୍ଦ୍ରମନ୍ତ୍ରୀ ରାୟଙ୍କ କାରକେଡ ଉପରେ ଆକ୍ରମଣ କରିଛି ଜଣେ ଯୁବକ । ହାତରେ ଏକ ବାଡି ଧରି ଯୁବକଜଣଙ୍କ କାରକେଡ ରୋକିବା ସହ ମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ କରିବା ପାଇଁ ଉଦ୍ଯମ କରିଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମୀ ଉକ୍ତ ଯୁବକକୁ ତୁରନ୍ତ କାବୁ କରିନେଇଥିଲେ ।

କାରକେଡ ଉପରେ ଆକ୍ରମଣ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରି ସ୍ଥାନୀୟ ଥାନାକୁ ନେଇଛି । ଅନ୍ୟପଟେ ଅଭିଯୁକ୍ତର ଆକ୍ରମଣରେ କାରକେଡରେ ସାମିଲ ଅନ୍ୟ ଦୁଇ କାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ଅଭିଯୋଗକୁ ବିହାର ପୋଲିସ ସମ୍ପୂର୍ଣ୍ଣ ଖଣ୍ଡନ କରିଛି । କାରକେଡରେ ସାମିଲ କୌଣସି ଗାଡି କ୍ଷତିଗ୍ରସ୍ତ ହୋଇନାହିଁ କିମ୍ବା କାରକେଡ ଆଦୌ ବିଳମ୍ବ ମଧ୍ୟ ହୋଇନାହିଁ ବୋଲି ପୋଲିସ କହିବା ସହ ଏପରି ଖବର ମିଥ୍ୟା ବୋଲି ଦର୍ଶାଇଛି । ପୋଲିସ ଅଭିଯୁକ୍ତ ଯୁବକକୁ କାବୁ କରିବା ପରେ ସ୍ଥାନୀୟ ଥାନାକୁ ନେଇ ଜେରା କରୁଛି । ଅଭିଯୁକ୍ତର ଅନ୍ୟ କୌଣସି ରାଜନୈତିକ ଦଳର ଲିଙ୍କ୍ ରହିଛି କି ନାହିଁ, ସେ ନେଇ କୌଣସି ସୂଚନା ପୋଲିସ ସୂତ୍ରରୁ ସ୍ପଷ୍ଟ କରାଯାଇନି ।

ଯୁବକର ଏପରି କାର୍ଯ୍ୟ ପାଇଁ କିଛି ସମୟ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ କାରକେଡ ମଝି ରାସ୍ତାରେ ଅଟକି ରହିଥିଲା । ପୋଲିସ ଯୁବକକୁ କାବୁ କରି ଗିରଫ କରିବା ସହ ଭିଡ ନିୟନ୍ତ୍ରଣ କରିଥିଲା । ପରେ କିଛି ସମୟ ବ୍ୟବଧାନରେ ମନ୍ତ୍ରୀଙ୍କ କାରକେଡ ରାଜଧାନୀ ପାଟନା ଅଭିମୁଖେ ବଢିଥିଲା । ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ନୀତିଶ ଶାସନର କେନ୍ଦ୍ରୀୟ ମନ୍ତ୍ରୀଙ୍କ ରାଜ୍ୟ ଗସ୍ତ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ଦଳ ଅଭିଯୋଗ କରିଛି । ହେଲେ ଏପରି ଅଭିଯୋଗକୁ ଜେଡିୟୁ ପକ୍ଷରୁ ଅମୂଳକ ବୋଲି ଦର୍ଶାଯାଇଛି ।

କେନ୍ଦ୍ରର କୌଣସି ମନ୍ତ୍ରୀ ବିହାର ଗସ୍ତରେ ଆସିଲେ ପ୍ରୋଟୋକଲ ଅନୁସାରେ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରନ୍ତି ବୋଲି ଜେଡିୟୁ କହିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଏପରି ଅବ୍ୟବସ୍ଥା ନେଇ ବିହାର ପୋଲିସର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details