ହାଇଦ୍ରାବାଦ: 5 ରାଜ୍ୟରେ ଭୋଟିଂ ସରିବା ସହ ଶେଷ ହୋଇଛି ମତଦାନ । ଆସନ୍ତା ୩ରେ ୫ ରାଜ୍ୟର ଆସିବ ଜନାଦେଶ । ଏହା ପୂର୍ବରୁ ଆସିଛି ବୁଥ ବାହୁଡା ମତ । ଏକାଧିକ ସଂସ୍ଥାର ସର୍ଭେ ଅନୁସାରେ ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ ଅଧିକ ଆସନ ସହ ସଂଖ୍ୟା ବହୁମତର ନିକଟତର ରହିଛି । ଛତିଶଗଡରେ ପୁଣି ସରକାର ଗଠନ କରିବ କଂଗ୍ରେସ । ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ଆଗରେ ରହିବା ନେଇ ରିପୋର୍ଟ କହୁଛି । ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି ବିଆରଏସକୁ ପଛରେ ପକାଇପାରେ କଂଗ୍ରେସ ।
ମଧ୍ୟ ପ୍ରଦେଶ:-
ଏକାଧିକ ଗଣମାଧ୍ୟମ ସଂସ୍ଥା ଏଠାରେ ବିଜେପି କ୍ଷମତା ବଜାୟ ରଖିବା ନେଇ ଆକଳନ କରିଛନ୍ତି ।ଜନ କି ବାତ ବିଜେପିକୁ 100-123 ଆସନ ଦେଇଥିବା ବେଳେ କଂଗ୍ରେସକୁ 102-125 ଆସନ ଦେଇଛି । ନ୍ୟୁଜ-24 ଓ ଟୁଡେଜ ଚାଣକ୍ୟ ବିଜେପିକୁ ସର୍ବାଧିକ 151 ଆସନ ସହ ସ୍ପଷ୍ଟ ବହୁମତ ମିଳିବା ନେଇ ଆକଳନ କରିଛନ୍ତି । କଂଗ୍ରେସକୁ 74 ଆସନ ମିଳିବାକୁ ଯାଉଥିବା ସଂସ୍ଥା କହିଛି ।ରିପବ୍ଲିକ ଟିଭି ଓ ମାର୍ଟିଜ 118-130 ସହ ବିଜେପିକୁ ଏକକ ବହୁମତ ସହ କଂଗ୍ରସକୁ 97-107 ଆସନ ମିଳିବା ନେଇ ପୂର୍ବାକଳନ କରିଛନ୍ତି । ଟିଭି-9 ଭାରତବର୍ଷ ବିଜେପିକୁ 106-116 ଆସନ ଓ କଂଗ୍ରେସକୁ 97-107 ଆସନ ଦେଇଛନ୍ତି ।
ରାଜସ୍ଥାନ:-
ଏଠାରେ 199 ସିଟରେ ଭୋଟିଂ ହୋଇଥିବା ବେଳେ ଏକାଧିକ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲରେ ରାଜ୍ୟରେ ବିଜେପି ଆଗରେ ରହିଛି । ଦୈନିକ ଭାସ୍କର 98-105 ଆସନ ବିଜେପିକୁ ମିଳିବା ସହ କଂଗ୍ରେସକୁ 85 ରୁ 95 ଆସନ ମିଳିବା ନେଇ ଆକଳନ ପ୍ରକାଶ କରିଛି । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ପକ୍ଷରୁ ବିଜେପିକୁ 80-100 ଆସନ ସହ କଂଗ୍ରେସକୁ 86 ରୁ 106 ଆସନ ମିଳିବା ନେଇ ଆକଳନ କରାଯାଇଛି । ଇଣ୍ଡିଆ ଟିଭି- ସିଏନଏକ୍ସ ପକ୍ଷରୁ ବିଜେପିକୁ 90 ରୁ 100 ଆସନ ମିଳିବା ବେଳେ କଂଗ୍ରେସ 94-104 ଆସନ ସହ ସାମାନ୍ୟ ଆଗରେ ରହିବା ନେଇ ଆକଳନ କରିଛି । ଜନ କି ବାତରେ ବିଜେପି 100-122 ଆସନ ମଧ୍ଯରେ ଏକକ ସଂଖ୍ୟା ଗରିଷ୍ଠତା ପାଇବାକୁ ଥିବା ବେଳେ କଂଗ୍ରେସ 62-85 ଆସନ ପାଇବା ନେଇ ତଥ୍ୟ କହୁଛି । ସେହିପରି ଉଭୟ ଜାତୀୟ ଦଳ ଛଡା ଅନ୍ୟ କୌଣସି ଖାତା ଖୋଲିବା ନେଇ ଏକଜିଟ ପୋଲ କହୁନାହିଁ ।
ଛତିଶଗଡ:-
ଏକାଧିକ ଗଣମାଧ୍ୟମ ସଂସ୍ଥା କଂଗ୍ରେସ ବିଜେପି ଠାରୁ ଆଗରେ ରହିବା ଓ ସଂଖ୍ୟା ବହୁମତର ନିକଟତର ରହିବା ନେଇ ଆକଳନ ପ୍ରକାଶ କରିଛନ୍ତି । ଏବିପି ନ୍ୟୁଜ-ସି ଭୋଟର ତଥ୍ୟ ଅନୁସାରେ, କଂଗ୍ରେସକୁ 41ରୁ 53 ଆସନ ସହ ବହୁମତ ହାସଲ କରିବା ନେଇ ଆକଳନ କରିଥିବା ବେଳେ ବିଜେପି 36-48 ଆସନ ପାଇବା ନେଇ ଆକଳନ କରିଛନ୍ତି । ଦୈନିକ ଭାସ୍କର କଂଗ୍ରେସକୁ 46-55 ଓ ବିଜେପିକୁ 35-45 ଆସନ ପାଇବା ନେଇ କହିଛି । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ପକ୍ଷରୁ କଂଗ୍ରେସକୁ 40 ରୁ 50 ଓ ବିଜେପିକୁ 36-46 ମଧ୍ୟରେ ଆସନ ମିଳିବା ନେଇ ଆକଳନ କରିଛି । ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 46-56 ଆସନ ମିଳିବା ସହ ବହୁମତ ସଙ୍କେତ ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ଓ ବିଜେପି ଛଡା ଅନ୍ୟ କୌଣସି ଦଳ ପ୍ରାୟତଃ ଖାତା ଖୋଲିବା ନେଇ କୌଣସି ସଂସ୍ଥା ପ୍ରକାଶ କରିନାହାନ୍ତି ।
ତେଲେଙ୍ଗାନା:
ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଆଶ୍ଚର୍ଯ୍ୟଜନକ ଭାବେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଠାରୁ ଆଗରେ ରହିଛି କଂଗ୍ରେସ । ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 63-79 ଆସନ ସହ ସ୍ପଷ୍ଟ ବହୁମତ ପାଇବା ନେଇ ଆକଳନ କରିଛନ୍ତି । ସେହିପରି ବିଆରଏସ 31-47 ଆସନ ସହ ବହୁମତ ପଛରେ ରହିବା ନେଇ ସଂସ୍ଥା କହିଛି । ସେହିପରି ବିଜେପି ମାତ୍ର 2-4 ଆସନ ଓ ଏମଆଇଏମଆଇଏମ ପୂର୍ବ ପରି 5- 7 ଆସନ ମଧ୍ଯରେ ସୀମି ତ ରହିବା ନେଇଅନୁମାନ କରିଛି ସଂସ୍ଥା । ଜନ କି ବାତ ବିଆରଏସକୁ 40-55 ଓ କଂଗ୍ରେକୁ 48-64, ବିଜେପିକୁ 2-4 ଓ MIMIM କୁ 6-8 ଆସନ ମିଳିବା ନେଇ ଆକଳନ ପ୍ରକାଶ ପାଇଛି । ରିପବ୍ଲିକ ଟିଭି-ମାର୍ଟିଜ କଂଗ୍ରେସକୁ 58-68 ଆସନ, ବିଆରଏସକୁ 46-56 , ବିଜେପିକୁ 5-9 ଓ MIMIM 5-7 ଆସନ ମିଳିବ । ଟିଭି 9 ଭାରତ ବର୍ଷ- ପୋଲଷ୍ଟାର କଂଗ୍ରେସକୁ 49-59 ଆସନ ବିଆରଏସକୁ 48- 58 ଆସନ, ବିଜେପି 5-10 ଓ MIMIM 6-8 ଆସନ ମିଳିବ ।
ମିଜୋରାମ:-
40 ଆସନ ବିଶିଷ୍ଟ ମିଜୋରାମରେ ଏବିପି ନ୍ୟୁଜ, ସି-ଭୋଟର ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) 15 ରୁ 21, ଜେପିଏମକୁ 12 -18, ବିଜେପିକୁ ଶୂନ୍ୟ ଓ କଂଗ୍ରେସକୁ 2-8 ଆସନ ମିଳିବା ନେଇ ଆକଳନ କରିଛି । ଇଣ୍ଡିଆ ଟିଭି -ସିଏନଏକ୍ସ ଏମଏନଏଫ 15-21,ଜେପିଏମକୁ 12-16, କଂଗ୍ରେସକୁ 8 ରୁ 10 ଓ ବିଜେପି ଖାତା ନଖୋଲିପାରିବା ନେଇ ଆକଳନ କରିଛନ୍ତି । ଜନ କି ବାତ ଏମଏନଏଫ 10-14,,ଜେପିଏମକୁ ସର୍ବାଧିକ 15-25 ଓ କଂଗ୍ରେସକୁ 5-9 ଆସନ ମଧ୍ୟରେ ରଖିଛି । ରିପବ୍ଲିକ ଟିଭି-ମାର୍ଟିଜ ଅନୁସାରେ, ରାଜ୍ୟରେ ଏମଏନଏଫ ସର୍ବାଧିକ 17-22 ଆସନ ପାଇବ । ଜେପିଏମକୁ 7-12, କଂଗ୍ରେସକୁ 7-10 ଆସନ ସହ ବିଜେପିକୁ ମାତ୍ର ଗୋଟିଏରୁ 2 ଟି ଆସନ ମିଳିବା ନେଇ ଆକଳନ କରିଛି । 3 ତାରିଖରେ ସମସ୍ତ ରାଜ୍ୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହି 5 ରାଜ୍ୟର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ