ନୂଆଦିଲ୍ଲୀ:ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏମପି, ରାଜସ୍ଥାନ ଓ ଛତିଶଗଡରେ ବିଜେପିର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ତେଲେଙ୍ଗାନାରେ କଂଗ୍ରେସ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏହି 4 ରାଜ୍ୟରେ ଫେଲ ମାରିଛି । ଖୋଦ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ 3 ରାଜ୍ୟରେ ରାଲି କରିଥିଲେ ବି କିଛି କାମରେ ଆସିଲାନାହିଁ । ତେଲେଙ୍ଗାନାକୁ ଛାଡିଦେଲେ ବାକି 3 ରାଜ୍ୟରେ 200ଟି ଆସନରେ ଦଳ ଲଢିଥିଲେ ବି କେଉଁଠି ଖାତା ଖୋଲି ପାରି ନାହିଁ ଆମ ଆଦମୀ ପାର୍ଟି ।
ଆପ୍ ଏମପି, ରାଜସ୍ଥାନ ଓ ଛତିଶଗଡରେ 200ରୁ ଅଧିକ ଆସନରେ ପ୍ରାର୍ଥୀ ଦେଇଥିଲା । ରିପୋର୍ଟ ଲେଖା ହେବା ସୁଦ୍ଧା ଗୋଟିଏ ବି ଆସନରେ ବି ଦଳକୁ ବିଜୟ ମିଳି ନାହିଁ । ଦିଲ୍ଲୀ ଓ ପଞ୍ଜାବରେ ଶାସନ ଗାଦିରେ ଥିବା ଆପ୍ 3 ରାଜ୍ୟରେ ବିଜୟ ନେଇ ଆଶାବାଦୀ ଥିଲା । ମଧ୍ୟପ୍ରଦେଶରେ 70, ରାଜସ୍ଥାନରେ 88 ଓ ଛତିଶଗଡରେ 57 ପ୍ରାର୍ଥୀ ଦେଇଥିଲା ଦଳ । ମାଳମାଳ ପ୍ରତିଶ୍ରୁତି ଦେଇଥିଲା ରାଲି ଜନସଭା କରିଥିଲା ମାତ୍ର କିଛି କାମରେ ଆସିନାହିଁ । କିଛି ଫାଇଦା ମିଳିଲା ନାହିଁ । ବିଧାନସଭା ନିର୍ବାଚନରେ ଆପ୍ ଯେପରି ଗାଏବ ହୋଇଯାଇଛି ।
ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇ ନଥିଲା ଆପ୍ । ନିର୍ବାଚନ ଆୟୋଗ ସୂଚନା ଅନୁସାରେ ଆମ ଆଦମୀ ପାର୍ଟିକୁ ଛତିଶଗଡରେ 0.97% ଭୋଟ ମିଳିଛି । ମଧ୍ୟପ୍ରଦେଶରେ 0.42% ଓ ରାଜସ୍ଥାନରେ 0.37% ଭୋଟ ମିଳିଛି ।