ନୂଆଦିଲ୍ଲୀ:ଆସାମର କଚ୍ଛାର ଜିଲ୍ଲାକୁ ସଂଲଗ୍ନ ମିଜୋରାମ ସୀମାରେ ଜୁଲାଇ ୨୬ରେ ହୋଇଥିବା ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ପଡିବାର ସମ୍ଭାବନା ସୃଷ୍ଟି ହେଇନାହିଁ । ଘଟଣା ପରଠାରୁ ବିବାଦ ଥମିବା ବଦଳରେ ଅଧିକରୁ ଅଧିକ ଉଗ୍ର ରୂପ ଧାରଣ କରୁଛି । ଯାହାକୁ ନେଇ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବିବାଦ ଅଞ୍ଚଳରେ ମୁତୟନ ହେବେ ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ସିଆରପିଏଫ କମାଣ୍ଡୋ ବାହିନୀ । ଯେଉଁମାନେ ଏବେ କାଶ୍ମୀରରେ ମୁତୟନ ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗତକାଲି(ଶୁକ୍ରବାର) ଲୈଲାପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ସିଆରପିଏଫ ଆଇଜି ସରବଜୀତ ସିଂ । ଆଇଜିଙ୍କ ଗସ୍ତ ପରେ କାଶ୍ମୀରରୁ ଏକ ସ୍ବତନ୍ତ୍ର ସିଆରପିଏଫ ଟିମକୁ ଏୟାର ଲିଫ୍ଟ କରି ଆସାମ ସ୍ଥାନାନ୍ତର କରାଯିବ । ସେହି ଠାରୁ ଟିମକୁ ଘଟଣା ସ୍ଥଳ କଚ୍ଛାର ଲୈଲାପୁରରେ ମୁତୟନ କରାଯିବ । ଘଟଣା ସ୍ଥଳରେ ସ୍ବତନ୍ତ୍ର ସୁରକ୍ଷାବଳ ମୁତୟନ ହେବାକୁ ଥିବା ବେଳେ ବାହ୍ୟ ସୁରକ୍ଷା ଯୋଗାଇବେ ଆଇଟିବିପି ଓ ରାଜ୍ୟ ପୋଲିସ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସିଆରପିଏଫ ଆଇଜି ସରବଜୀତ ସିଂ ଉଭୟ ଆସାମ- ମିଜୋରାମ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ଉଭୟ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଜଣାଇ ଦେଇଥିଲେ । ଏବାବାଦ କେନ୍ଦ୍ର ସରକାର କଣ ପଦକ୍ଷେପ ନେବାକୁ ଚାହୁଁଛନ୍ତି ? କଣ ପଦକ୍ଷେପ ନେଇଛନ୍ତି ? ତାହା ଉପରେ ଆଲୋଚନା କରିଥିଲେ ।
ବର୍ତ୍ତମାନ ସୁଦ୍ଧା ସ୍ଥିତି ଦେଖି କେନ୍ଦ୍ର ସରକାର ୧୩ କମ୍ପାନୀ ସିଆରପିଏଫର ଯେଉଁଥିରେ ୧୪୭ ବାଟାଲିୟନର ୭ଟି କମ୍ପାନୀ, ୧୧୯ ବାଟାଲିୟନର ୨ ଟି କମ୍ପାନୀ, ୧୫୬, ୨୧୯ ଓ ୧୦ ବାଟାଲିୟନରୁ ଗୋଟିଏ ଗୋଟିଏ କମ୍ପାନୀ ଯବାନ ଆସାମ ପାର୍ଶ୍ବରୁ ମୁତୟନ ହୋଇଛନ୍ତି । ସେହିଭଳି ୩ଟି କମ୍ପାନୀ ସିଆରପିଏଫ ଯେଉଁମାନେ ୧୪୦ ବାଟାଲିୟନରୁ ଗୋଟିଏ, ୨୨୫ ବାଟାଲିୟନରୁ ୨ଟି ଟିମ ଅଛନ୍ତି ମିଜୋରାମ ପକ୍ଷରୁ ମୁତୟନ ହୋଇଛନ୍ତି । ଏହାବାଦ ଏକ ସ୍ବତନ୍ତ୍ର କମାଣ୍ଡୋ ବାହୀନି ମୁତୟନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।