ଓଡିଶା

odisha

ETV Bharat / bharat

ଅଶ୍ବିନୀ ବୈଷ୍ଣବ ହେଲେ କେନ୍ଦ୍ରମନ୍ତ୍ରୀ, କଣ ତାଙ୍କ ରାଜନୈତିକ ପୃଷ୍ଠଭୂମି...ଜାଣନ୍ତୁ - କିଏ ଅଶ୍ବିନୀ

ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ଟିମରେ ଓଡିଶାରୁ 2 ଜଣ ସ୍ଥାନ ପାଇଛନ୍ତି । ତେବେ ପୂର୍ବ ଚର୍ଚ୍ଚା ଅନୁସାରେ ଅଶ୍ବିନୀଙ୍କୁ ମୋଦିଙ୍କ ଟିମରେ ମିଳିଛି ସ୍ଥାନ । ଅଧିକ ପଢନ୍ତୁ:

Ashiwani Kumar Vaishnav
Ashiwani Kumar Vaishnav

By

Published : Jul 7, 2021, 6:54 PM IST

Updated : Jul 7, 2021, 8:38 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର କ୍ୟାବିନେଟର ଆଜି ସମ୍ପ୍ରସାରଣ ହୋଇଛି । ସଂଧ୍ୟା 6 ଟାରେ ରାଷ୍ଟ୍ରପତି ଭବନରେ ଏହି ସମ୍ପ୍ରସାରଣ ଉତ୍ସବ ହୋଇଛି । ସମ୍ପ୍ରସାରଣରେ ଓଡିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁଙ୍କ ସମେତ 43 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେହିପରି ଏହି ମନ୍ତ୍ରୀମଣ୍ଡଳରେ ରହିଛନ୍ତି 11 ମହିଳା, 18 ପୂର୍ବ ରାଜ୍ୟମନ୍ତ୍ରୀ, 13 ଓକିଲ, 6 ଡାକ୍ତର, 3 ଜଣ ଇଞ୍ଜିନିୟର, 4 ପୂର୍ବତନ ମୁଖ୍ୟମନ୍ତ୍ରୀ, 27 ଜଣ ଓବିସି ସମ୍ପ୍ରଦାୟ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ଟିମରେ ଓଡିଶାରୁ 2 ଜଣ ସ୍ଥାନ ପାଇଛନ୍ତି । ପୂର୍ବରୁ ରାଷ୍ଟ୍ରମନ୍ତ୍ରୀ ଥିବା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଇସ୍ତଫା ପରେ ରାଜ୍ୟ କୋଟାରୁ ରାଜ୍ୟସଭା ଯାଇଥିବା ସାଂସଦ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ସ୍ଥାନ ମିଳିଛି । ତେବେ ପୂର୍ବ ଚର୍ଚ୍ଚା ଅନୁସାରେ ଅଶ୍ବିନୀଙ୍କୁ ମୋଦିଙ୍କ ଟିମରେ ମିଳିଛି ସ୍ଥାନ । ଏଠି ପ୍ରଶ୍ନ ଉଠୁଛି ରାଜ୍ୟରୁ 8 ଜଣ ସାଂସଦ ଲୋକଙ୍କ ଦ୍ବାରା ସିଧା ସଳଖ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ଅଶ୍ବିନୀ ବୈଷ୍ଣବଙ୍କୁ କାହିଁକି ମୋଦି ମନ୍ତ୍ରୀ ମଣ୍ଡଳରେ ନେଲେ । କଣ ହୋଇପାରେ ରଣନୀତି ? କିଏ ଏହି ଅଶ୍ବିନୀ ବୈଷ୍ଣବ ? କଣ ତାଙ୍କ ରାଜନୈତିକ ପୃଷ୍ଠଭୂମି । ରାଜ୍ୟ ବିଜେପିରେ କଣ ତାଙ୍କ ଆବେଦନ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଅଶ୍ବିନୀ ବୈଷ୍ଣବ କିଏ?

ରାଜସ୍ଥାନ ଯୋଧପୁରର ମୂଳ ନିବାସୀ ହେଉଛନ୍ତି ଅଶ୍ବିନୀ ବୈଷ୍ଣବ । 1970 ମସିହାରେ ଜନ୍ମ ଗ୍ରହଣ କରିଥିବା ବୈଷ୍ଣବଙ୍କ ଶିକ୍ଷା ଓ ପିଲା ଦିନ କଟିଛି ରାଜସ୍ଥାନରେ । 1994 ଓଡିଶା କ୍ୟାଡର ଆଇଏଏସ ଅଫିସର ଥିଲେ ଅଶ୍ବିନୀ ବୈଷ୍ଣବ । ବାଲେଶ୍ବର, କଟକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ଅଶ୍ବିନୀ । 1999 ମହାବାତ୍ୟା ବେଳେ ଆମେରିକା ନୌସେନାର ୱେବସାଇଟ ରିସର୍ଚ୍ଚ କରି ଅନେକ ତଥ୍ୟ ଆଣି ସରକାରଙ୍କୁ ଦେଇଥିଲେ । ଯାହା ମହାବାତ୍ୟା ମୁକାବିଲା କରିବାରେ କିଛି ସାହାଯ୍ୟ କରିଥିଲା । ଅଶ୍ବିନୀ ବର୍ଷ 2003 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପଦ ପଦବୀରେ କାମ କରିଥିଲେ । ପରେ ସେହି ବର୍ଷ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।

ଶିକ୍ଷାଗତ ଯୋଗ୍ୟତା...

ଅଶ୍ବିନୀ ବୈଷ୍ଣବ ଜଣେ ଉଚ୍ଚ ଶିକ୍ଷିତ । ରାଜସ୍ଥାନ ଜୟ ନାରାୟଣ ବ୍ୟାସ ବିଶ୍ବବିଦ୍ୟାଳୟରୁ ସ୍ନାତ୍ତକ କରିଛନ୍ତି । ଏହାସହ ଇଲେଟ୍ରୋନିକ୍ସ ଓ ଯୋଗାଯୋଗ ଇଞ୍ଜିନିୟର ପାଠ୍ୟକ୍ରମରେ ସ୍ବର୍ଣ୍ଣ ପଦକ ପାଇଛନ୍ତି । ସେହିପରି ଆଇଆଇଟି କାନପୁରରୁ ଏମଟେକ କରିଛନ୍ତି ବୈଷ୍ଣବ ।

ଓଡିଶାରେ କାର୍ଯ୍ୟ....

ଅଶ୍ବିନୀ ବୈଷ୍ଣବ ରାଜ୍ୟରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । କଟକ, ବାଲେଶ୍ବରର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ବୈଷ୍ଣବ । 2003 ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଏପରିକି 2004 ରେ ଏନଡିଏ ସରକାରର ପରାଜୟ ପରେ ମଧ୍ୟ ଅଶ୍ବିନୀ ବାଜପେୟୀଙ୍କ ସଚିବ ହୋଇ ରହିଥିଲେ । ପରେ 2008 ରେ ଅଶ୍ବିନୀ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ଆମେରିକା ଚାଲିଯାଇଥିଲେ । 2 ବର୍ଷ ପରେ ସେଠାରୁ ଫେରି କର୍ପୋରେଟ ଜଗତରେ ଯୋଗ ଦେଇଥିଲେ । ବିଭିନ୍ନ କମ୍ପାନୀରେ ଅଶ୍ବିନୀ କାମ କରିଛନ୍ତି ।

ବୈଷ୍ଣବଙ୍କ ବ୍ୟବସାୟ...

ଅଶ୍ବିନୀ ବୈଷ୍ଣବ ଖାଲି ଜଣେ ପୂର୍ବତନ ଅଫିସର କି ରାଜନେତା ନୁହଁନ୍ତି । ସେ ଜଣେ ବ୍ୟବସାୟୀ ମଧ୍ୟ । ବିଭିନ୍ନ ଖଣି କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି ବୈଷ୍ଣବ ।

ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କ...

ଅଶ୍ବିନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ମଧ୍ୟ ଆସ୍ଥା ଜିତି ପାରିଥିଲେ । ଅଟଳ ବିହାରୀଙ୍କ ପରାଜୟ ସତ୍ବେ ତାଙ୍କ ହାତ ଛାଡିନଥିଲେ ବୈଷ୍ଣବ । ଦୀର୍ଘଦିନ ପର୍ଯ୍ୟନ୍ତ ବାଜପେୟୀଙ୍କ କୃଷ୍ଣ ନଗର ସ୍ଥିତ ବାସଭବନରେ ରହି ବାଜପେୟୀଙ୍କ ସହାୟକ ଭାବେ କାମ କରିଥିଲେ ।

ସଂଘ ପରିବାର ସହ ସମ୍ପର୍କ...

କୁହାଯାଉଛି ଅଶ୍ବିନୀ ବୈଷ୍ଣବଙ୍କ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ସହ ମଧ୍ୟ ଗଭୀର ସମ୍ପର୍କ ରହିଛି । ବୈଷ୍ଣବ ସଂଘ ପରିବାରର ଗୁଡ ବୁକରେ ଥିବାରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ତାଙ୍କ ସିଧା ସଳଖ ରହିଛି । ଯେଉଁଥି ପାଇଁ ସେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା କୁହାଯାଉଛି ।

ରାଜନୈତିକ ଯାତ୍ରା...

ଅଶ୍ବିନୀ ବୈଷ୍ଣବ ବର୍ଷ 2019 ରେ ରାଜନୀତିରେ ପ୍ରବେଶ କରିଥିଲେ । 19 ଜୁନ 2019 ରେ ଅଶ୍ବିନୀ ବିଜେପିରେ ଯୋଗ ଦେଇଥିଲେ । ତତ୍କାଳୀନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅଶ୍ବିନୀ ପଦ୍ମ ପୋଖରୀରେ ପ୍ରବେଶ କରିଥିଲେ । ବିଜେପିରେ ଯୋଗ ଦେଉ ଦେଉ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ଅଶ୍ବିନୀ ରାଜ୍ୟସଭାକୁ ଯାଇଥିଲେ । ସଂସଦର ବିଭିନ୍ନ ଅଧିବେଶନରେ ସାମିଲ ହୋଇ ଅନେକ ପ୍ରସଙ୍ଗରେ ଗଠନ ମୂଳକ ଆଲୋଚନା କରି ବିଜେପିର ଆସ୍ଥା ଭାଜନ ହୋଇପାରିଥିଲେ । ଏହାବାଦ ରାଜ୍ୟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ଏତତ ବ୍ୟତୀତ ଅଶ୍ବିନୀ ଜାତୀୟ ସ୍ତରରେ ମଧ୍ୟ ଦଳ ପାଇଁ ବିଭିନ୍ନ ପ୍ରଦେଶ ଯାଇ କାମ କରିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ବେଳେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ରାଜ୍ୟରେ ରହି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2021, 8:38 PM IST

ABOUT THE AUTHOR

...view details