ନୂଆଦିଲ୍ଲୀ:ପ୍ରକଶ ପାଇଛି ବହୁତର୍ଚ୍ଚିତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଜନାଦେଶ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପୂର୍ବାନୁମାନକୁ କିଛି ସ୍ଥାନରେ ସଠିକ ପ୍ରମାଣିତ କରିବା ସହ କିଛି ସ୍ଥାନରେ ଆକଳନକୁ ଭୁଲ ପ୍ରମାଣିତ କରି ଏହି ଜନାଦେଶ ନୂଆ ଇତିହାସ ଲେଖିଛି । ମୋଟ ୫ ରାଜ୍ୟରୁ ୪ ରାଜ୍ୟରେ କ୍ଷମତା ହାତେଇବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟିର ପ୍ରଦର୍ଶନ ।
ପଞ୍ଜାବରେ ଶାସକ କଂଗ୍ରେସ ସମେତ ସମସ୍ତ ଦଳକୁ ପଛରେ ପକାଇ AAP ଏକକ ବହୁମତ ହାସଲ କରିବାରେ ସଫଳ ହୋଇଛି । ଅନ୍ୟ ୪ ରାଜ୍ୟ ଉତ୍ତରପ୍ରଦେଶ, ଗୋଆ, ଉତ୍ତାରାଖଣ୍ଡ ଓ ମଣିପରୁରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଥିବା ବେଳେ ମ୍ୟାଜିକ ନମ୍ବର ସହ ସରକାର ଗଢିବାକୁ ଯାଉଛି । ତେବେ ନଜର ପକାନ୍ତୁ କେମିତି ରହିଛି କେଉଁ ରାଜ୍ୟରେ ଜନମତ ଓ କିପରି ହେବ ଆଗାମି ସରକରାରର ରୂପରେଖ ।
ଉତ୍ତର ପ୍ରଦେଶ:-
ଉତ୍ତର ପ୍ରଦେଶରେ ବାଜିମାତ କରିଛି ବିଜେପି । ମୋଟ ୪୦୩ ଆସନ ମଧ୍ୟରୁ ଶେଷ ଖବର ସୁଦ୍ଧା ୨୬୮ ଆସନ ଜିତି ମ୍ୟାଜିକ ନମ୍ବର ଅତିକ୍ରମ କରିଛି ଦଳ । ଏବେ ମଧ୍ୟ ୬ ଆସନରେ ଫଳାଫଳ ସ୍ପଷ୍ଟ ହୋଇନଥିବା ବେଳେ ସେଥିରେ ମଧ୍ୟ ଆଗରେ ରହିଛି ବିଜେପି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ସମାଜବାଦୀ ପାର୍ଟି ମାତ୍ର ୧୧୮ ଟି ଆସନ ହାତେଇବାରେ ସଫଳ ହୋଇଛି । ସେହିପରି ମାୟାବତୀଙ୍କ ବିଏସପି ଗୋଟିଏ, କଂଗ୍ରେସ ୨ ଓ ଅନ୍ୟାନ୍ୟ ଦଳ ମାତ୍ର ୨ଟି ଆସନରେ ଜିତିବାରେ ସଫଳ ହୋଇଛନ୍ତି । ଏପରି ସ୍ଥଳେ ବିଜେପିର ଏକକ ସଂଖ୍ୟା ଗରିଷ୍ଠ ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ଗୋରଖପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଯୋଗୀ ଆଦିତ୍ୟନାଥ ସପା ପ୍ରାର୍ଥୀ ଶୁଭାବତୀ ଶୁକ୍ଳାଙ୍କୁ ବିପୁଳ ବ୍ୟବଧାନରେ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମୋଟ ୧ ଲକ୍ଷ ୨ ହଜାର ୩୯୯ ଖଣ୍ଡ ଭୋଟରେ ଜିତି ଗୋରଖପୁର ଆସନ ଦଖଲ କରିଛନ୍ତି । ଯୋଗୀଙ୍କ ବିପକ୍ଷରେ ପୂର୍ବତନ ବିଜେପି ନେତା ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କ ପତ୍ନୀ ଶୁଭାବତୀ ଶୁକ୍ଲା, ଆଜାଦ ସମାଜ ପାର୍ଟିରୁ ଚନ୍ଦ୍ରଶେଖର, ବିଏସପିରୁ ଖ୍ବାଜା ଶାମସୁଦ୍ଦିନ ଏବଂ କଂଗ୍ରେସ ପ୍ରାର୍ଥୀ ଚେତନା ପାଣ୍ଡେ ପ୍ରତିଦ୍ବନ୍ଦିତା କରୁଥିଲେ ।
ପଞ୍ଜାବ:-
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ପଞ୍ଜାବରେ AAPର ସୁନାମି । ଶାସକ କଂଗ୍ରେସ, ବିଜେପି ମେଣ୍ଟକୁ ମାତ ଦେଇ ଏକକ ବହୁମତ ହାସଲ କରିଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟି (AAP) । ଦଳ ୯୨ ଟି ଆସନରେ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷିତ ହୋଇଥିବା ଭଗବନ୍ତ ମାନ ଆଗାମି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପକ୍କା କରିଛନ୍ତି ।
ସେହିପରି ପଞ୍ଜାବରେ ବିଜେପି ମାତ୍ର ୨ଟି ଆସନ, ଶାସନରେ ଥିବା କଂଗ୍ରେସ ୧୮, ଶିରୋମଣୀ ଅକାଳୀ ଦଳ ମାତ୍ର ୪ ଆସନ ଜିତିବାରେ ସଫଳ ହୋଇଛନ୍ତି । ଦଳକୁ ଏପରି ଐତିହାସିକ ବିଜୟ ପାଇଁ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଦେବା ସହ ଏହା ବିକାଶର ଏକ ନୂଆ ଧାରା ବୋଲି କହିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।