ଶ୍ରୀନଗର:ଦକ୍ଷିଣ କାଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ପୁଞ୍ଚ ଓ ରଜୌରୀ ସେକ୍ଟରରେ ଆତଙ୍କୀ ଆକ୍ରମଣ ଘଟଣା ବୃଦ୍ଧି ପାଇବା ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ସୋମବାର ଜମ୍ମୁ ଗସ୍ତ କରିପାରନ୍ତି । ସେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା ଓ ସେନା ଜାରି ରଖିଥିବା ଆତଙ୍କବାଦ ନିରୋଧୀ ଅପରେସନର ତଦାରଖ କରିବେ । ପ୍ରତିରକ୍ଷା ସୂତ୍ରରୁ ଜେନେରାଲ ପାଣ୍ଡଙ୍କ ଗସ୍ତ ସମ୍ପର୍କରେ ସୂଚନା ମିଳିଛି ।
ନିକଟରେ ଏହି ଦୁଇ ସେକ୍ଟରରେ ଏକାଧିକ ଆତଙ୍କୀ ଆକ୍ରମଣ ଘଟଣା ଘଟିଛି । କଡ଼ା ସୁରକ୍ଷା ଓ ନିୟମିତ ଆତଙ୍କୀ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ଘାଟିରେ ଆତଙ୍କବାଦୀମାନେ ଆକ୍ରମଣ ଘଟାଇବାରେ ଲାଗିଛନ୍ତି । 3 ଦିନ ପୂର୍ବରୁ(ଗୁରୁବାର) ସେନାର ଏକ ଜିପ୍କୁ ଆତଙ୍କବାଦୀମାନେ ଅତର୍କିତ ଆମ୍ବୁସ କରି ଗୁଳିମାଡ଼ କରିଥିଲେ । ଏଥିରେ 4 ଯବାନ ଶହୀଦ ହୋଇଥିଲେ । ଏହାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଆଣ୍ଟି-ଟେରର୍ ଅପରେସନକୁ ମଧ୍ୟ ବ୍ୟାପକ କରାଯାଇଛି । ଏବେ ମଧ୍ୟ ଏହି ଅପରେସନ୍ ଜାରି ରହିଛି ।
ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ ଜମ୍ମୁରେ ପହଞ୍ଚିବା ପରେ ସେଠାରେ ନିୟୋଜିତ ବରିଷ୍ଠ ନେନାଧିକାରୀଙ୍କ ସହ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ । ଘାଟିରେ ଏହି ଆକ୍ରମଣ ଘଟଣା ପରେ ସେନା ମୁଖ୍ୟାଳୟ ସ୍ଥିତି ଉପରେ ନଜର ରଖିଛି । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ଦକ୍ଷିଣ କାଶ୍ମୀରର ପୁଞ୍ଚ ଓ ରଜୌରୀ ସେକ୍ଟର ସର୍ବାଧିକ ଆତଙ୍କବାଦୀ ପ୍ରବଣ ସ୍ଥାନ ମଧ୍ୟରୁ ଅନ୍ୟତମ । ଏଠାରେ ଏବେ ସୁରକ୍ଷା ବ୍ୟବସ୍ଥା ସେନାର 16-କ୍ରପ୍ସ ନିକଟରେ ନ୍ୟସ୍ତ ଅଛି । ବର୍ତ୍ତମାନର ଲେଫ୍ଟନାଣ୍ଟ୍ ଜେନେରାଲ ସନ୍ଦୀପ ଜୈନଙ୍କଠାରୁ ଲେଫ୍ଟନାଣ୍ଟ୍ ଜେନେରାଲ ନବୀନ ସଚ୍ଚଦେବଙ୍କୁ କମାଣ୍ଡ ଦାୟିତ୍ୱ ମିଳିବାକୁ ଯାଉଛି ।