କୋଲକାତା:2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକାଠି ହୋଇଛି 26 ବିରୋଧୀ ଦଳଙ୍କ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ । ତେବେ ବିରୋଧୀ ମେଣ୍ଟର ନେତୃତ୍ବ କିଏ ନେବେ । କିଏ ମେଣ୍ଟ ଆବାହକ ହେବ ଓ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ, ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ସ୍ପଷ୍ଟ ହୋଇ ପାରିନାହିଁ । ତେବେ ବିରୋଧୀ ମେଣ୍ଟର ବର୍ତ୍ତମାନର ସମୀକରଣ ନେଇ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ପଡୋଶୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାରତୀୟ ରାଜନୀତିର ଘଟଣାକ୍ରମରେ ବେଶ ଉତ୍ସାହୀ ଥିବା ପରି ନଜର ଆସିଛନ୍ତି ।
ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଙ୍ଘେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ଏକମାତ୍ର ଫାଏର ବ୍ରାଣ୍ଡ ଲେଡି ମମତା ବାନାର୍ଜୀଙ୍କୁ ମେଣ୍ଟର ନେତୃତ୍ବ ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ସେ ଜାଣିବାକୁ ଚାହିଁଛନ୍ତି, କ’ଣ ମମତା ହିଁ ଏହି ମେଣ୍ଟର ନେତୃତ୍ବ ନେବେ କି ? ତେବେ ଏହି ପ୍ରଶ୍ନର ଉତ୍ତରରେ ମମତା ଅତି ଚତୁରତା ଦେଖାଇଥିଲେ । ସିଧା ସଳଖ ତାଙ୍କ ନେତୃତ୍ବ ପ୍ରଶ୍ନକୁ ଏଡାଇ ଯାଇଥିଲେ । କହିଥିଲେ ଏହା ଲୋକେ ନିଷ୍ପତ୍ତି କରିବେ । ବିରୋଧୀ ମେଣ୍ଟ ଶାସନକୁ ଆସିବାକୁ ଯାଉଛି ।
ତେବେ ପୁରା ଘଟଣା କିଛି ଏପରି ଥିଲା । ଏକ ନିବେଶ କନକ୍ଲେଭରେ ଯୋଗଦେବା ପାଇଁ ସ୍ପେନ ବାହାରିଥିବା ମମତା, ଦୁବାଇ ବିମାନ ବନ୍ଦରରେ ପଡ଼ୋଶୀ ରାଷ୍ଟ୍ରପତି ରାନିଲ ବ୍ରିକମସିଙ୍ଘେକୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ସୌଜନ୍ୟମୂଳକ ବାର୍ତ୍ତାଳପ ହୋଇଥିଲା । ଏହି ସ୍ବଳ୍ପ ବାର୍ତ୍ତାଳାପରେ ଭାରତୀୟ ରାଜନୀତି, ବିଶେଷ କରି ବିଜେପି ବିରୋଧୀ ମେଣ୍ଟ ସମ୍ପର୍କରେ ଜାଣିବାକୁ ବିକ୍ରମସିଙ୍ଘେ ଅଧିକ ଉତ୍ସାହୀ ନଜର ଆସିଥିଲେ ।