ଚଣ୍ଡିଗଡ:ପଞ୍ଜାବ ସୀମାରେ ପୁଣି ନିଶାଦ୍ରବ୍ୟ ସହ ଠାବ ହେଲା ପାକିସ୍ତାନୀ ଡ୍ରୋନ । ଅମୃତସର ଜିଲ୍ଲାର ପାକିସ୍ତାନ ସୀମାବର୍ତ୍ତୀ ଏକ ଗ୍ରାମରେ ଏହି ପାକିସ୍ତାନୀ ଡ୍ରୋନକୁ ଠାବ କରିବାରେ ସଫଳ ହୋଇଛି ସୀମା ସୁରକ୍ଷା ବଳ (ବିଏସଏଫ) ଓ ସ୍ଥାନୀୟ ପୋଲିସର ମିଳିତ ଟିମ । ଗ୍ରାମବାସୀଙ୍କ ସୂଚନା ଅନୁସାରେ, ସୁରକ୍ଷା ବଳ ପହଞ୍ଚି ଡ୍ରୋନକୁ ଠାବ କରିବା ପରେ ଏହା ପାକିସ୍ତାନ ପଟୁ ଆସିଥିବା ସ୍ପଷ୍ଟ କରିଛି । ଏହି ଡ୍ରୋନରୁ ପ୍ରାୟ ଅଧା କେଜି ଓଜନର ଏକ ହେରୋଇନ ପ୍ୟାକେଟ ମଧ୍ୟ ଜବତ କରାଯାଇଛି ।
ଅପରେସନ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ବିଏସଏଫ କହିଛି, ଅମୃତସର ଜିଲ୍ଲାର ମାଓ୍ବା ନିକଟବର୍ତ୍ତୀ ଏକ ସୀମାନ୍ତ ଗ୍ରାମରୁ ଏହି ପାକିସ୍ତାନୀ ଡ୍ରୋନ ଜବତ କରାଯାଇଛି । ଏଥିରୁ ଏକ ଅଧା କେଜି ଓଜନର ହେରୋଇନ ପ୍ୟାକେଟ ଜବତ କରାଯାଇଛି । ଏହା ଏକ ସୀମାପାର ନିଶା କାରବାର ରାକେଟ ଦ୍ବାରା କରାଯାଉଥିଲା । ଗ୍ରାମବାସୀଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନରେ ସଫଳତା ମିଳିଛି । ଗ୍ରାମବାସୀଙ୍କୁ ସତର୍କ ରହିବା ସହ କୌଣସି ସନ୍ଦେହଜନକ ସାମଗ୍ରୀ କିମ୍ବା ଗତିବିଧି ନଜରକୁ ଆସିଲେ ତୁରନ୍ତ ସୁରକ୍ଷା ବଳ କିମ୍ବା ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି ।
ତେବେ ରାଜସ୍ଥାନ, ପଞ୍ଜାବ ଓ କାଶ୍ମୀର ପରି ସୀମାନ୍ତ ରାଜ୍ୟରେ ନିକଟ ଅତୀତରେ ଏକାଧିକ ଏପରି ଘଟଣା ସାମ୍ନାକୁ ଆସିଛି । ଚଳିତବର୍ଷ ମୋଟ 250ରୁ ଅଧିକ ପାକିସ୍ତାନୀ ଡ୍ରୋନ ଠାବ କରାଯାଇଛି । 55ଟି ଡ୍ରୋନକୁ ସୁରକ୍ଷା ବଳ ଗୁଳି କରି ନଷ୍ଟ କରିଥିବା ବେଳେ ଅବଶିଷ୍ଟ 221 ଡ୍ରୋନ ସକ୍ରିୟ ଅବସ୍ଥାରେ ଜବତ କରାଯାଇଛି । 22ଟି ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଦେଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପାକିସ୍ତାନ ସୀମାକୁ ଖସି ଯାଇଛନ୍ତି । ଅଧିକାଂଶ ମାମଲା ନିଶା କାରବାର ରାକେଟ ସହ ସମ୍ପୃକ୍ତ । କାରଣ ଏକାଧିକ ମାମଲାରେ ଡ୍ରୋନରୁ ନିଶାଦ୍ରବ୍ୟ ପାକେଟ ଜବତ କରାଯାଇଛି ।