ଲଞ୍ଚ୍ ହେବ 'ମେରି ମାଟି ମେରା ଦେଶ' ନୂଆଦିଲ୍ଲୀ:ଆସନ୍ତା ଅଗଷ୍ଟ 15 ତାରିଖରେ ଭାରତ 77ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି । ଭାରତର 75ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 'ଆଜାଦୀ କା ଅମୃତ ମହୋତ୍ସବ'ର ଶୁଭାରମ୍ଭ ହୋଇଥିଲା । ତେବେ ଆଗକୁ ସ୍ବାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ତଥା ବୀର ଯୋଦ୍ଧାଙ୍କୁ ସମ୍ମାନର୍ଥେ କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ମେରି ମାଟି ମେରା ଦେଶ' । ତେବେ ଏନେଇ ଆଜି 103ତମ ମନ କି ବାତ୍ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି 103ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, "ଏବେ ସାରା ଭାରତ ଗର୍ବ ଓ ଗୌରବର ସହିତ ପାଳନ କରୁଛି ଅମୃତ ମହୋତ୍ସବ । ତେବେ ଅଗଷ୍ଟ 15 ନିକଟବର୍ତ୍ତୀ ହୋଇଥିବା ବେଳେ ଆଉ ଏକ କ୍ୟାମ୍ପେନ ଆରମ୍ଭ ହେବ । ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇବା ଲାଗି 'ମେରି ମାଟି ମେରା ଦେଶ'ଲଞ୍ଚ କରାଯିବ ।"
ଏହା ବି ପଢନ୍ତୁ- Mann Ki Baat: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ପ୍ରଧାନମନ୍ତ୍ରୀ
ନିର୍ମାଣ ହେବ 'ଅମୃତ ବାଟିକା':-ମୋଦି ଆହୁରି କହିଛନ୍ତି ଯେ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର୍ ମେମୋରିଆଲରେ ନିର୍ମାଣ ହେବ 'ଅମୃତ ବାଟିକା' । ଏହି ଉଦ୍ୟାନରେ ପ୍ରାୟ 7500 ଚାରା ରୋପଣ କରାଯିବ । ସାରା ଦେଶର କୋଣ ଅନୁକୋଣରୁ ଏହି ଚାରାକୁ ସଂଗ୍ରହ କରାଯିବ । ଖାଲି ସେତିକି ନୁହେଁ ଆମ ବୀର ଯବାନଙ୍କୁ ସ୍ମରଣ ରଖିବା ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନେବେ କେନ୍ଦ୍ର ସରକାର । ଅମୃତ ବାଟିକାରେ 7500 ଚାରା ରୋପଣ ଲାଗି ଏକ 'ଅମୃତ କଳସ ଯାତ୍ରା'ର ଶୁଭାରମ୍ଭ ହେବ । ଦେଶର କୋଣ ଅନୁକୋଣରୁ ଭାରତୀୟ ଚାରା ଧରି ଦିଲ୍ଲୀ ଅଭିମୁଖେ ବାହାରିବେ ଏବଂ ଏହି ଚାରାଗୁଡ଼ିକୁ ଅମୃତ ବାଟିକାରେ ରୋପଣ କରାଯିବ । 'ମେରି ମାଟି ମେରା ଦେଶ' କ୍ୟାମ୍ପେନ୍ ମାଧ୍ୟମରେ ଦେଶର ବିଭିନ୍ନ ପଞ୍ଚାୟତ, ଗ୍ରାମରେ ଶିଳାଲେଖ ସ୍ଥାପିତ ହେବ ।
'ହର ଘର ତ୍ରିରଙ୍ଗା' ପାଇଁ ଆହ୍ବାନ:-ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ସ୍ବାଧୀନତା ଦିବସରେ ମଧ୍ୟ 'ହର ଘର ତ୍ରିରଙ୍ଗା' ପାଇଁ ଆହ୍ବାନ ଦେଇଛନ୍ତି । ଏହି କ୍ୟାମ୍ପେନ୍ ଯେପରି ପରମ୍ପରାରେ ପରିଣତ ହେବ ସେଥିଲାଗି ପ୍ରତିବର୍ଷ ନିଜ ଘର ଉପରେ ତ୍ରିରଙ୍ଗା ଉଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ମୋଦି ନିଜ ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଦେଶରେ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ 60 ହଜାର ଅମୃତ ସରୋବରର ନିର୍ମାଣ କରାଯାଇଛି । ସେହିପରି ଉତ୍ତରପ୍ରଦେଶରେ ନିକଟରେ ଗୋଟିଏ ଦିନରେ 30 କୋଟି ବୃକ୍ଷରୋପଣ କରି ରାଜ୍ୟ ରେକର୍ଡ ସୃଷ୍ଟି କରିଥିବା କହିଛନ୍ତି ମୋଦି ।