ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ସାଙ୍ଗକୁ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ଏହାରି ମଧ୍ୟରେ ବିଶିଷ୍ଟ ସମାଜସେବୀ ତଥା କେଜ୍ରିଓ୍ବାଲଙ୍କ ରାଜନୈତିକ ଗୁରୁ ଆନ୍ନା ହାଜରେ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ନିଜ ଉଦବେଗ ପ୍ରକାଶ କରିଛନ୍ତି । କେଜ୍ରିଓ୍ବାଲ କ୍ଷମତାରେ ନିଶାରେ ସମ୍ପୂର୍ଣ୍ଣ ବୁଡି ସାରିଛନ୍ତି । ଯେଉଁ ଆନ୍ଦୋଳନ ଆମ ଆଦମୀ ପାର୍ଟି ପ୍ରତିଷ୍ଠା ହେବାରେ ଗୁରୁ ଭୂମିକା ତୁଲାଇଥିଲା, ତାହାର ମୂଳ ଆଦର୍ଶବାଦକୁ କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ଭୁଲି ସାରିଛନ୍ତି ବୋଲି ଆନ୍ନା ଚିଠିରେ ଉଲ୍ଲେଖ କରିଛନ୍ତି ।
ଆନ୍ନା ହାଜାରେ ଚିଠିରେ ଲେଖିଛନ୍ତି, ‘‘ତୁମେ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ପ୍ରଥମ ଥର ପାଇଁ ତୁମକୁ ଏହି ଚିଠି ଲେଖୁଛି । ଦିଲ୍ଲୀରେ ଅବକାରୀ ଦୁର୍ନୀତି ସମ୍ପର୍କରେ ଦିଲ୍ଲୀ ସରକାରର ଭୂମିକା ଅତ୍ୟନ୍ତ ନିରାଶଜନକ । ମୁଁ ଗାନ୍ଧିଜୀ ଏବଂ ତାଙ୍କ ଆଦର୍ଶ ‘ଗାନ୍ଧୀବାଦ’ ଦ୍ୱାରା ଅନୁପ୍ରାଣିତ । ଏହି ଆଦର୍ଶବାଦକୁ ଆଧାର କରି ମୋର ଅଛି ମୁଁ ମୋ ଜୀବନକୁ ଲୋକ, ସମାଜ ଏବଂ ଦେଶ ପାଇଁ ଉତ୍ସର୍ଗ କରିଛି । ଗତ 47 ବର୍ଷ ଧରି ମୁଁ ସମାଜର ଉନ୍ନତି ତଥା ଭ୍ରଷ୍ଟାଚାର ବିରୋଧ ଦିଗରେ କାର୍ଯ୍ୟ ଜାରି ରଖିଛି ।’’
କେଜ୍ରିଓ୍ବାଲଙ୍କ ସମ୍ପର୍କରେ ଲେଖିଛନ୍ତି, ‘‘ତୁମେ ସ୍ବରାଜ ଶୀର୍ଷକ ଏକ ପୁସ୍ତକ ଲେଖିଛ । ତୁମ ସେଥିରେ ଆଦର୍ଶବାଦ ଉପରେ ମଧ୍ୟ ନିଜ ମତାମତ ପ୍ରକାଶ କରିଛ । ତୁମ ଠାରୁ ଅନେକ ଆଶା ରଖାଯାଇଥିଲା । କିନ୍ତୁ ସକ୍ରିୟ ରାଜନୀତିକୁ ଆସିବା ପରେ ତୁମେ କ୍ଷମତା ହାସଲ କଲ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲ । ହେଲେ ପରବର୍ତ୍ତୀ ସ୍ଥିତିରେ ତୁମେ ସେ ମୂଳ ଆଦର୍ଶକୁ ଭୁଲିଗଲ । କ୍ଷମତା ବି ଏକ ନିଶା ସଦୃଶ୍ୟ, ତୁମେ ମଧ୍ୟ ସେଥିରେ ବୁଡି ସାରିଛି ।’’