ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ କଂଗ୍ରେସର ଭେଟେରାନ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି । ଅନିଲ ଗତ ଜାନୁଆରୀରେ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିଲେ । ଗୁଜୁରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବିସି ଡକ୍ୟୁମେଣ୍ଟାରୀ ବିବାଦକୁ ନେଇ ସେ ଦଳ ଛାଡ଼ିଥିଲେ । ଆଜି ବିଜେପିରେ ଯୋଗ ଦେବା ପରେ ସେ ଓ ତାଙ୍କ ପିତାଙ୍କ ମତ ଭିନ୍ନ ବୋଲି କହିଛନ୍ତି ଅନିଲ ।
ବରିଷ୍ଠ ବିଜେପି ନେତା ପିୟୂଷ ଗୋୟଲ ଓ ଭି ମୁରଲୀଧରନ ଓ କେରଳ ବିଜେପିର ମୁଖ୍ୟ କେ ସୁରେନ୍ଦ୍ରନ ଅନିଲ ଆଣ୍ଟୋନିଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ଜାନୁଆରୀରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ । ବିଜେପି ବିରୋଧରେ କଂଗ୍ରେସ ଅସହିଷ୍ଣୁଭାବ ପ୍ରକାଶ କରୁଛି । ଯିଏ ପ୍ରେମଭାବ ଓ ବାକ୍ ସ୍ବାଧୀନତା ବିରୋଧରେ ଲଢେଇ କରୁଥିବା ଦଳକୁ ସେ ସମର୍ଥନ କରୁଥିବା କହିଥିଲେ । ଏହାପରେ ଗୁରୁବାର ସେ ନୂଆଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।
ଏହା ବି ପଢନ୍ତୁ-କଂଗ୍ରେସ ଛାଡିଲେ ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ
ସେ ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖି କହିଥିଲେ, "ମୋର ଓ ମୋ ପିତାଙ୍କ ମତ ଭିନ୍ନ । ମାତ୍ର ସର୍ବଦା ମୁଁ ତାଙ୍କୁ ସମ୍ମାନ କରିବି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବି । ଏଣୁ ଅସମ୍ମାନ କରିବାର ସ୍ପଷ୍ଟ ହିଁ ଉଠୁନାହିଁ । " ସେପଟେ ପୁଅ ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଏକେ ଆଣ୍ଟୋନି କହିଛନ୍ତି, "ମୋ ପୁଅର ନିଷ୍ପତ୍ତିରେ ମୁଁ ଦୁଃଖିତ । ଏହା ଏକ ଭୁଲ ନିଷ୍ପତ୍ତି । ଏକତା ଓ ଧାର୍ମିକ ସମନ୍ବୟ ହେଉଛି ଭାରତର ପରିଚୟ । ମାତ୍ର ୨୦୧୪ ପରେ ଯେବେଠୁ ମୋଦି ସରକାର ଶାସନ କ୍ଷମତାକୁ ହାତକୁ ନେଇଛନ୍ତି ସେ ବିବିଧତା ଆଣିବା ସହ ଧର୍ମନିରପେକ୍ଷତାକୁ ହ୍ରାସ କରୁଛନ୍ତି । ବିଜେପି ଆଗକୁ ଦେଶର ସାମ୍ବିଧାନିକ ମୂଲ୍ୟବୋଧକୁ ନଷ୍ଟ କରିଦେବ ।"
ବିଜେପିରେ ଯୋଗ ଦେବା ପରେ ଅନିଲ ଆଣ୍ଟୋନି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିପେ ନଡ୍ଡାଙ୍କ ନେତୃତ୍ବରେ କାମ କରୁଥିବା ସମସ୍ତ ବିଜେପି ନେତା, କର୍ମୀମାନଙ୍କୁ ଶୁଭେଚ୍ଛା । ଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଟି ବ୍ୟକ୍ତିବିଶେଷଙ୍କ ନିକଟରେ କଲ୍ୟାଣକାରୀ ଯୋଜନା ପହଞ୍ଚାଇଛନ୍ତି ଏବଂ ଦେଶର ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ।"