ଓଡିଶା

odisha

କେରଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ବିସ୍ଫୋରଣ: ଦମ୍ପତି ଆହତ

By

Published : Mar 13, 2023, 5:22 PM IST

କେରଳର କନ୍ନୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ବିସ୍ଫୋରଣ । ଆହତ ଦମ୍ପତି ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

କେରଳରେ କାର୍ଯ୍ୟକର୍ତ୍ତାଙ୍କ ଘରେ ବିସ୍ଫୋରଣ: ଦମ୍ପତି ଆହତ
କେରଳରେ କାର୍ଯ୍ୟକର୍ତ୍ତାଙ୍କ ଘରେ ବିସ୍ଫୋରଣ: ଦମ୍ପତି ଆହତ

ଥିରୁଅନନ୍ତପୁରମ: କେରଳର ଭାରତୀୟ ଜନତା ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କ ଘରେ ବିସ୍ଫୋରଣ ଘଟିଛି । ଏଥିରେ ଏହି କାର୍ଯ୍ୟକର୍ତ୍ତା ଦମ୍ପତି ଆହତ ହୋଇଛନ୍ତି । ଘର ପଛରେ ଥିବା ରୋଷେଇ ଘର ସଲଗ୍ନ ସ୍ଥାନରେ ବିସ୍ଫୋରକ ରଖାଯାଇଥିଲା । ଗତକାଲି(ରବିବାର) ରାତିରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ସନ୍ତୋଷ ଓ ପତ୍ନୀ ଲସିତା ଆହତ ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଭୟ ଚିକିତ୍ସାଧୀନ ରହିଥିବା ବେଳେ ସନ୍ତୋଷଙ୍କ ଅବସ୍ଥା ଗମ୍ଭୀର ରହିଛି ।

ପୋଲିସ ସାଇଣ୍ଟିଫିକ ଓ ଫୋରେନସିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ସନ୍ତୋଷ ନିଜେ ନିଜ ଘରେ ବିସ୍ଫୋରକ ରଖିଥିଲେ ଓ ବମ ପ୍ରସ୍ତୁତି କରୁଥିଲେ । ଘର ପଛପଟେ ରଖାଯାଇଥିବା ବିସ୍ଫୋରକ କୌଣସି କାରଣରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଥିଲେ ସୁଦ୍ଧା ଏନେଇ କୌଣସି ଦିଗକୁ ଇଙ୍ଗିତ କରିନାହିଁ ।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି(ରବିବାର) ରାତିରେ ଏହି ବିସ୍ଫୋରଣ ଘଟିଛି । ପ୍ରାୟ 3 କି.ମି ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ଏଥିରେ ସନ୍ତୋଷଙ୍କର ଗୋଟିଏ ହାତ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ପତ୍ନୀ ଲସିତାଙ୍କ ଶରୀରରେ ଏକାଧିକ ସ୍ଥାନରେ ମଧ୍ଯ ଆଘାତ ଲାଗିଛି । ସନ୍ତୋଷଙ୍କ ମା’ ଓ ପିଲାମାନେ ଘର ଭିତରେ ଥିବା ଯୋଗୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୋଲିସ ବମ ସ୍କ୍ବାଡ୍‌ ଓ ସାଇନଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଛି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ସମଗ୍ର ଗ୍ରାମରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ କେରଳରେ ରାଜନୀତି ମଧ୍ୟ ଉଷ୍ମ ହୋଇଛି । ସିପିଏମ ଓ ବିଜେପି ପରସ୍ପର ପ୍ରତି ଦୋଷାରୋପ କରିଛନ୍ତି । ସ୍ଥାନୀୟ ବିଧାୟକ ସନି ଜୋସେଫ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

କେରଳରେ ପୂର୍ବରୁ ମଧ୍ୟ ରାଜନୈତିକ ହିଂସା କାଣ୍ଡ ଘଟିଥିବା ଏକାଧିକ ନଜିର ରହିଛି । ନିକଟରେ ପାଲକ୍କଡରେ ସିରିଜ ହତ୍ୟା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଶାସନରେ ଥିବା ବାମ ଦଳ ଓ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସା ବଢୁଥିବା ଦେଖିବାକୁ ମିଳୁଛି । ଏହି ବିସ୍ଫୋରଣ ମଧ୍ୟ ରାଜନୈତିକ ଷଡଯନ୍ତ୍ର ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details