ହାଇଦ୍ରାବାଦ:ଦିଲ୍ଲୀରେ ଯୁବତୀଙ୍କୁ ଏକ କାର 12 କି.ମି ଘୋଷାଡି ନେବା ଓ ତାଙ୍କର ଶୋଚନୀୟ ମୃତ୍ୟୁ ହେବା ଘଟଣାରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଉଦବେଗ ଦେଖାଯାଇଛି (Kanjhawla incident) । ଘଟଣାରେ ଏବେ କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଆଜି (ସୋମବାର) ଘଟଣାର ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଦିଲ୍ଲୀ ପୋଲିସକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି ।
ଗୃହମନ୍ତ୍ରୀ ଶାହଙ୍କ ନିର୍ଦ୍ଦେଶରେ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛି । ସେହିପରି ଉପଯୁକ୍ତ ତଥା ତ୍ବରିତ ତଦନ୍ତ ପରେ ଗୃହ ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ସ୍ୱତନ୍ତ୍ର ପୋଲିସ କମିଶନର ଶାଲିନୀ ସିଂଙ୍କୁ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ମହିଳା କମିଶନ ତୀବ୍ର ଉଦବେଗ ପ୍ରକାଶ କରିଥିଲା । ପୋଲିସକୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ତଲବ କରିଥିଲେ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ।