ମୁମ୍ବାଇ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି । ଶାହ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଥିବା ସମୟରେ ସେଠାରେ ତାଙ୍କର ସୁରକ୍ଷାରେ ବଡ ଧରଣର ତ୍ରୁଟି(Amit Shah Security Breach) ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜକୁ ସାଂସଦଙ୍କ ବ୍ୟକ୍ତିଗତ ସହାୟକ(PA) ଭାବେ ପରିଚୟ ଦେଇ ଅମିତ ଶାହଙ୍କ ଆଖପାଖରେ ଘଣ୍ଟା ଘଣ୍ଟା କାଳ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲା । ଏହି ଘଟଣା ନଜରକୁ ଆସିବା ପରେ ମୁମ୍ବାଇ ପୋଲିସ(Mumbai Police) ସେହି ସନ୍ଦିଗ୍ଧଙ୍କୁ ଗିରଫ କରିଛି । ବର୍ତ୍ତମାନ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।
ସୂଚନା ମୁତାବକ, ସେପ୍ଟେମ୍ବର ୫ ଅର୍ଥାତ୍ ସୋମବାର ଦିନ ଅମିତ ଶାହ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ । ସୋମବାର ଶାହ ମୁମ୍ବାଇରେ ପହଞ୍ଚି ଲାଲବାଗ ଯାଇଥିଲେ । ସେଠାରୁ ସେ ପୁଣି ଭିଲେ ପାର୍ଲ ଅଞ୍ଚଳ ଯାଇ ପ୍ରଭୁ ଗଜାନନଙ୍କ ଦର୍ଶନ କରିଥିଲେ । ମଙ୍ଗଳବାର ଦିନ ଶାହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କ ସରକାରୀ ବାସଭବନରେ ଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ ବହୁ ସମୟ ଧରି ତାଙ୍କ ଆଖପାଖରେ ବୁଲୁଥିବା ଦେଖାଯାଇଥିଲା । ସେ ନିଜକୁ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ(PA) ଭାବେ ସୁରକ୍ଷାକର୍ମୀ ଆଗରେ ପରିଚୟ ଦେଇଥିଲା । ତାଙ୍କର ଉପରେ ସନ୍ଦେହ ଜାତ ହେବାରୁ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ନାମ ହେମନ୍ତ ପାୱାର(Hemant Pawar) ବୋଲି ଜଣାପଡିଛି । ତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ପୋଲିସ ଏ ଯାଏଁ କୌଣସି ସୂଚନା ପାଇନଥିବା ଜଣାପଡିଛି ।