ଗାନ୍ଧୀନଗର:ସମ୍ବିଧାନର ପ୍ରଣେତା ବି.ଆର ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀରେ ବୌଦ୍ଧ ଧର୍ମ ଗ୍ରହଣ କଲେ ହଜାର ହଜାର ଲୋକ । ଧର୍ମ ପରିବର୍ତ୍ତନ ଲାଗି ଗୁଜୁରାଟ ଗାନ୍ଧୀନଗର ରାମକଥା ମୈଦାନରେ ଭିଡ଼ ଜମିଥିଲା । ଧର୍ମ ପରିବର୍ତ୍ତନ ଲାଗି ଏଠାରେ କିଛି ବୌଦ୍ଧ ଧାର୍ମିକ ଗୁରୁ ମଧ୍ୟ ଉପସ୍ଥିତ ରହିଥିଲେ । ସ୍ବୟଂ ସୈନିକ ଦଳର ନେତୃତ୍ବରେ ବୌଦ୍ଧ ଧର୍ମ ଗ୍ରହଣ କରିବା ଲାଗି ଗୁଜୁରାଟର ଅନେକ ଜିଲ୍ଲାରୁ ଲୋକେ ଗାନ୍ଧୀନଗରରେ ପହଞ୍ଚିଥିଲେ । ଆସନ୍ତା ୨୦୨୮ ମସିହା ପର୍ଯ୍ୟନ୍ତ ୧ କୋଟି ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି କହିଛନ୍ତି ଦଳର ନେତା ଦେବେନ୍ଦ୍ର ମକୱାନ ।
ଧର୍ମ ପରିବର୍ତ୍ତନ ଲାଗି ରାମକଥା ମୈଦାନରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଏନେଇ ସ୍ବୟଂ ସୈନିକ ଦଳର ଜଣେ ନେତା ବିନୟ ପରମାର କହିଛନ୍ତି, "ଆଜି ବି ରାଜ୍ୟ ଓ ପୁରା ଦେଶରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳୁଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ସହିତ ଅନ୍ୟାୟ ହେଉଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଉଥିବା ବେଳେ ସରକାର କେବଳ ୪ଲକ୍ଷ ଟଙ୍କା ସହାୟତା ଦେଉଛନ୍ତି । ଯେତେବେଳେ ଅନେକ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି ଓ ସେମାନେ କିଛି କହିପାରୁନାହାନ୍ତି ତେବେ ଉକ୍ତ ଧର୍ମକୁ ତ୍ୟାଗ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିବା ଉଚିତ ।"