ଶ୍ରୀନଗର:ପାଗରେ ସୁଧାର ଆସିବା ପରେ ସାମୟିକ ବନ୍ଦ ରଖାଯାଇଥିବା ଅମରନାଥ ଯାତ୍ରା ପୁଣି ଥରେ ସ୍ବାଭାବିକ ହୋଇଛି । ପହଲଗାମ ମାର୍ଗରେ ଆଜି(ରବିବାର) ଅପରାହ୍ନରୁ ଯାତ୍ରାକୁ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରୁଛନ୍ତି । ଅନ୍ୟତମ ରୁଟ୍ ବାଲତଲରେ ଏବେ ମଧ୍ୟ ଯାତ୍ରା ସ୍ଥଗିତ ରହିଛି । ହଜାର ହଜାର ଶ୍ରଦ୍ଧାଳୁ ପାଗରେ ପରିବର୍ତ୍ତନକୁ ଅପେକ୍ଷା କରିଛନ୍ତି । ପାଗ ଉପରେ ନଜର ରଖାଯାଇଛି ଓ ସେଥିରେ ପରିବର୍ତ୍ତନ ଆସିଲେ ତୁରନ୍ତ ଯାତ୍ରାକୁ ସ୍ଥଗିତ ରଖାଯିବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।
କାଶ୍ମୀରରେ ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଏହି ଯାତ୍ରାକୁ ବନ୍ଦ ରଖାଯାଇଥିଲା । ଉଭୟ ବାଲତଲ ଓ ପହଲଗାମ ରୁଟ୍ରେ ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ହଜାର ହଜର ଯାତ୍ରୀ ଅଟକି ରହିଥିଲେ । ଆଜି ବର୍ଷା ବନ୍ଦ ହେବାପରେ ଗୋଟିଏ ରୁଟ୍ରେ ଯାତ୍ରା ପୁନଃ ଆରମ୍ଭ ହୋଇଛି । ଅନ୍ୟ ରୁଟ୍ଟି ମଧ୍ୟ ଖୁବଶୀଘ୍ର ଖୋଲିବା ନେଇ ଆଶା କରାଯାଉଛି । ଖରାପ ପାଗ କାରଣରୁ ରାମବାନରେ ପ୍ରାୟ 6 ହଜାରରୁ ଅଧିକ ଯାତ୍ରୀ ଅଟକି ରହିଥିବା ପ୍ରଶାସନ କହିଛି ।
ରାମବାନ ଉପ ଆୟୁକ୍ତ ମୁସରତ୍ ଇସଲାମ କହିଛନ୍ତି, ଯାତ୍ରା ସ୍ଥଗିତ ରଖାଯିବା ପରେ ଅଟକି ରହିଥିବା ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପାଗରେ ସୁଧାର ନଆସିବା ଯାଏଁ, ସେମାନକୁ ଯାତ୍ରା ଅନୁମତି ମିଳିବ ନାହିଁ । ପ୍ରଶାସନ ସେମାନଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରିଛି । ଏବେ ଗୋଟିଏ ମାର୍ଗରେ ଯାତ୍ରାକୁ ଅନୁମତି ମିଳିଛି । ପାଗରେ ସୁଧାର ଆସିବା ପରେ ଅନ୍ୟଟିରେ ମଧ୍ୟ ଯାତ୍ରା ସ୍ବାଭାବିକ ହେବ । ପାଗରେ ପରିବର୍ତ୍ତନ ହେବା ଯାଏଁ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ଓ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି ।